କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର : ୨୮%କୁ ବଢ଼ିଲା ମହଙ୍ଗା ଭତ୍ତା
କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା (ଡିଏ) ଓ ପେନସନ ଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ସମିତି ଏହି ନିଷ୍ପତ୍ତି ନେଇଛି । ମହଙ୍ଗା ଭତ୍ତା (ଡିଏ)କୁ ୧୧ ପ୍ରତିଶତ ବଢ଼ାଇ ୧୭ ପ୍ରତିଶତରୁ ୨୮ ପ୍ରତିଶତ କରାଯାଇଛି । ଜୁଲାଇ ପହିଲାରୁ ଏହା ଲାଗୁ ହେବ ।
ଗତ ବର୍ଷ ଏହାକୁ ବନ୍ଦ କରାଯିବା ପରେ କେନ୍ଦ୍ର କ୍ୟାବିନେଟ୍ ଚଳିତ ବର୍ଷ ଡିଏ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ, ଯେଉଁମାନେ ମାସ ମାସ ଧରି ଏହି ଘୋଷଣାକୁ ଅପେକ୍ଷା କରିଥିଲେ ସେମାନଙ୍କ ପାଇଁ ଏହା ଖୁସି ଖବର । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ପ୍ରାୟ ୫୦ ଲକ୍ଷ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକ ଲାଭବାନ ହେବେ।
ସୁବଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦୧୯ ଜୁଲାଇ ପରେ କେନ୍ଦ୍ରୀୟ କର୍ମଚାରୀମାନେ ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବାକୁ ଯାଉଛନ୍ତି। ମହାମାରୀ କରୋନା ଯୋଗୁ ସରକାର ମହଙ୍ଗା ଭତ୍ତା ପ୍ରଦାନ ଉପରେ ରୋକ ଲଗାଇ ଦେଇଥିଲେ। ଅର୍ଥ ମନ୍ତ୍ରଣାଳୟ କହିଥିଲା ଯେ, ୨୦୨୦ ଜାନୁଆର ୧ରୁ ୨୦୨୧ ଜୁନ୍ ୩୦ ଯାଏ କୌଣସି କର୍ମଚାରୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ମିଳିବ ନାହିଁ।
ଏହାର ଅର୍ଥ କର୍ମଚାରୀଙ୍କ ୩ କିସ୍ତି ମହଙ୍ଗା ଭତ୍ତା ବାକି ରହିଥିଲା। ଏହି ଅର୍ଥକୁ କରୋନା ସମୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଖର୍ଚ୍ଚ କରାଯାଇଥିବା କେନ୍ଦ୍ର ସରକାର କହିଥିଲେ। ଏବେ ବାକି ରହିଥିବା କିସ୍ତି ସହ ନୂଆ ମହଙ୍ଗା ଭତ୍ତା କର୍ମଚାରୀଙ୍କୁ ସେପ୍ଟେମ୍ବରରୁ ମିଳିବା ଆରମ୍ଭ ହେବ। ଫଳରେ ମୂଳ ଦରମା ବା ପେନସନରେ ଏହାର ହାର ୧୭ ପ୍ରତିଶତରୁ ବୃଦ୍ଧି ହୋଇ ୨୮ ପ୍ରତିଶତ ହେବ ।
Powered by Froala Editor