ଚନ୍ଦ୍ରପୃଷ୍ଠରୁ ଧାନ ବିହନ ଉତ୍ପାଦନ କଲା ଚାଇନା
ଚନ୍ଦ୍ରପୃଷ୍ଠରେ ଧାନ ବିହନ ଉତ୍ପାଦନ କରିଛି ଚୀନ୍ । ଯାହାକି ବଡ ସଫଳତା ବୋଲି କୁହାଯାଉଛି । ଦେଶର ସରକାରୀ ସୂତ୍ରରୁ କୁହାଯାଇଛି ଯେ, ୪୦ ଗ୍ରାମ ଓଜନର ଧାନକୁ ୨୦୨୦ରେ ଚେଞ୍ଜ-୫ ମହାକାଶ ଅଭିଯାନ ସମୟରେ ସାମିଲ କରାଯାଇଥିଲା । ତାହାକୁ ଶୂନ୍ୟ ମାଧ୍ୟାକର୍ଷଣ ଶକ୍ତି ଏବଂ ମହାକାଶରେ ହେଉଥିବା ବିକିରଣରେ ଉନ୍ମୁକ୍ତ ରଖାଯାଇଥିଲା । ୨୩ ଦିନ ମହାକାଶ ଯାତ୍ରା କରିବା ପରେ ଉକ୍ତ ବିହନକୁ ଅଣାଯାଇ ଗ୍ୱାଙ୍ଗଡଙ୍ଗ ପ୍ରଦେଶରେ ଥିବା ଦକ୍ଷିଣ ଚାଇନା କୃଷି ବିଶ୍ୱବିଦ୍ୟାଳୟରେ ରୋପଣ କରାଯାଇଥିଲା । ସେଥିରୁ ୧ ସେଣ୍ଟିମିଟର ଲମ୍ବ ତିନିଟି ବଡ ବ୍ୟାଗ ଭର୍ତ୍ତି ଧାନ ବିହନ ଉତ୍ପାଦନ କରାଯାଇଛି । ସେଥିମଧ୍ୟରୁ ସର୍ବୋତ୍ତମ ବିହନକୁ ଖୁବଶୀଘ୍ର ଲାବୋରେଟୋରୀରେ ଗଜା କରାଯିବା ପରେ ତାହାକୁ କ୍ଷେତରେ ଲଗାଯିବ ।
ଉକ୍ତ ଧାନରୁ ନୂଆ କିସମର ଚାଉଳ ଉତ୍ପାଦିତ ହେବା ଆଶା କରାଯାଉଛି, ଯାହା ଚାଇନାର ନୂଆ ନୂଆ ବିହନ ଉତ୍ପାଦନ ସାମର୍ଥ୍ୟ ବୃଦ୍ଧି କରିବ । ତେବେ ଏହା ବଜାରକୁ ଆସିବା ପାଇଁ ତିନିରୁ ଚାରିବର୍ଷ ଲାଗିବ ବୋଲି ବିଶ୍ୱବିଦ୍ୟାଳୟରେ ଥିବା ଗବେଷଣା କେନ୍ଦ୍ରର ଉପ ନିର୍ଦ୍ଦେଶକ ଗୁଓ ତାଓ କହିଛନ୍ତି । ଏହି ବିହନକୁ ଆଉ କେତେକ ପର୍ଯ୍ୟାୟ ପରୀକ୍ଷା ନିରୀକ୍ଷା କରାଯିବା ପରେ ତାହା ମଣିଷଙ୍କ ଖାଦ୍ୟ ଭାବରେ ବ୍ୟବହାର ପାଇଁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ମହାକାଶରେ ଧାନ ବିହନ ଉତ୍ପାଦନ କରିବା ଚାଇନା ପାଇଁ କିଛି ନୂଆ କଥା ନୁହେଁ । ୧୯୮୭ରୁ ଚାଇନା ମହାକାଶକୁ କପା, ବିଲାତି ବାଇଗଣ ସମେତ ଧାନ ବିହନ ମଧ୍ୟ ପଠାଉଛି ।
Powered by Froala Editor