ବର୍ଷର ୩୦୦ ଦିନ ଶୋଉଛନ୍ତି ଏହି ବ୍ୟକ୍ତି, ନିଦରେ ଖାଉଛନ୍ତି
ରାମାୟଣରେ ଆପଣ କୁମ୍ଭକର୍ଣ୍ଣଙ୍କୁ ତ ନିଶ୍ଚୟ ଜାଣିଥିବେ । ଯିଏ ବର୍ଷ ବର୍ଷ ଧରି ଘୋର ନିଦ୍ରାରେ ଶୋଇ ରହିଥାନ୍ତି । ତାଙ୍କୁ ଉଠାଇବା କାଠିକର ପାଠ । ତେବେ ରାଜସ୍ଥାନରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ଲୋକେ କଳିଯୁଗର କୁମ୍ଭକର୍ଣ୍ଣ ବୋଲି ଆଖ୍ୟା ଦେଇଛନ୍ତି । ସେ ହେଉଛନ୍ତି ରାଜସ୍ଥାନ ନାଗୌରରଭାଦୱା ଗାଁର ପୁରୁଖାରାମ । ତାଙ୍କ ବୟସ ଏବେ ୪୨ ବର୍ଷ । ପୁରୁଖାରାମଙ୍କୁ ନିଦ୍ରାରୁ ଉଠାଇବା ଅସମ୍ଭବ । ସେ ଥରେ ଶୋଇବା ପରେ ୨୦ରୁ ୨୫ ଦିନ ଯାଏ ଉଠନ୍ତି ନାହିଁ । ପରିବାର ଲୋକ ତାଙ୍କୁ ନିଦରେ ହିଁ ଖାଇବାକୁ ଦିଅନ୍ତି । ତେବେ ପଚାରିବାରୁ ଜଣାପଡିଛି ଯେ, ସେ ଏକ ବିରଳ ରୋଗରେ ପୀଡିତ । ଯାହାକୁ ହାଇପରସୋମନିଆ କୁହାଯାଏ ।
ପୁରଖାରାମ ଯେତେବେଳେ ୧୮ ବର୍ଷର ହୋଇଥିଲେ ସେତେବେଳେ ସେ ଏହି ହାଇପରସୋମନିଆ ରୋଗରେ ପୀଡିତ ହୋଇଥିଲେ। ଆଗେ ଆଗେ ସେ ଥରେ ଶୋଇଲେ ୫ ରୁ ୭ ଦିନ ଯାଏଁ ଉଠୁ ନଥିଲେ। ସେତେବେଳେ ଏଥିପାଇଁ ସେ ଡାକ୍ତରଙ୍କ ପରାମର୍ଶ କରିଥିଲେ, ହେଲେ କୌଣସି ସୁଫଳ ମିଳିନଥିଲା। ଧୀରେ ଧୀରେ ପୁରଖାରାମଙ୍କ ଶୋଇବା ସମୟ ବଢି ଚାଲିଲା। ଥରେ ଶୋଇଲେ ୨୦/୨୫ ଦିନ ଯାଏ ଉଠିଲେ ନାହିଁ । କହିବାକୁ ଗଲେ ସେ ବର୍ଷକର ୩୦୦ ଦିନ କେବଳ ଶୋଇ ରୁହନ୍ତି । ଏହି ସମୟ ମଧ୍ୟରେ ଯଦି କୌଣସି ଜରୁରୀ କାମ ଆସିଯାଏ ତେବେ ଚିନ୍ତାରେ ପଡିଯାଆନ୍ତି ପରିବାର ଲୋକେ।
ଏନେଇ ତାଙ୍କ ପତ୍ନୀ ଲକ୍ଷ୍ମୀଙ୍କ କହିବା ଅନୁଯାୟୀ, ଗାଁରେ ତାଙ୍କର ଏକ ଦୋକାନ ରହିଛି। ହେଲେ ତାଙ୍କ ସ୍ଵାମୀ ଏଭଳି ଶୋଇବା କାରଣରୁ ଦୋକାନ ବହୁ ସମୟ ବନ୍ଦ ରହୁଛି। ଫଳରେ ପିଲାମାନଙ୍କ ଭରଣପୋଷଣ କରିବାକୁ ସେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଦି ଏହି ରୋଗରେ ସଠିକ୍ ଚିକିତ୍ସା ହୋଇପାରନ୍ତା ତେବେ ପୁରଖାରାମ ସୁସ୍ଥ ହୋଇପାରନ୍ତେ ବୋଲି ଲକ୍ଷ୍ମୀ କହିଛନ୍ତି ।
Powered by Froala Editor