କୈଳାଶ ମାନସରୋବର ଯାତ୍ରାରେ ବିଜେପି ନେତ୍ରୀ ଆହତ

ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି କୈଳାଶ ମାନସରୋବର ଯାତ୍ରା କାଳରେ ଆହତ ହୋଇଛନ୍ତି। ତାଙ୍କର ପିଠିରେ ଗୁରୁତର ଆଘାତ ଲାଗିଛି । ଯାହା ଯୋଗୁ ତାଙ୍କୁ ମଝି ରାସ୍ତାରେ ଯାତ୍ରା ଛାଡିବାକୁ ପଡିଛି। ଲେଖି ଗୁଞ୍ଜୀ ଶିବିରକୁ ଫେରିଛନ୍ତି, ଯେଉଁଠାରୁ ତାଙ୍କୁ ସୋମବାରସକାଳେ ହେଲିକପ୍ଟର ଯୋଗେ ହସ୍ପିଟାଲକୁ ନିଆଯିବ।
ତୀବ୍ବତର ଦାରାଚୀନ କ୍ଷେତ୍ରରେ ଯାତ୍ରା କରିବା ସମୟରେ ସେ ଖଚରରୁ ପଡି ଯାଇଛନ୍ତି, ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ଉଚ୍ଚ ହିମାଳୟ କ୍ଷେତ୍ରରେ ପାଗ ଖରାପ ଥିବାରୁ ହେଲିକପ୍ଟର ଯୋଗେ ତାଙ୍କ ଉଦ୍ଧାର ସମ୍ଭବ ହୋଇ ପାରିନଥିଲା। ଏଣୁ ସଡ଼କ ମାର୍ଗରେ ତାଙ୍କୁ ଧାରଚୂଲା ଅଣାଯାଉଛି।
ଲିପୁଲେଖ ପାସ୍ ଦେଇ କୈଳାଶ ମାନସରୋବର ଯାତ୍ରାରେ ବାହାରିଥିବା ୪୮ ତୀର୍ଥ ଯାତ୍ରୀଙ୍କ ଦ୍ୱିତୀୟ ଦଳ ଜୁଲାଇ ୧୪ ତାରିଖ ଦିନ ତୀବ୍ବତକୁ ପ୍ରବେଶ କରିଥିଲା। ଏହି ଦଳରେ ଥିବା ୧୪ ମହିଳା ଯାତ୍ରୀଙ୍କ ମଧ୍ୟରେ ମିନାକ୍ଷୀ ଲେଖି ଜଣେ ଥିଲେ। ପିଥୋରାଗଡ଼ ଜିଲ୍ଲା ସୂଚନା ଅଧିକାରୀ ସନ୍ତୋଷ ଚାନ୍ଦ କହିଛନ୍ତି ଯେ, ଦାର୍ଚିନରେ ଆହତ ଲେଖିଙ୍କୁ ଚୀନ୍ ଅଧିକାରୀମାନେ ଲିପୁଲେଖ ନେଇଥିଲେ ଯେଉଁଠାରୁ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP) କର୍ମଚାରୀମାନେ ତାଙ୍କୁ ଗୁଞ୍ଜୀ ଶିବିରକୁ ନେଇ ଯାଇଥିଲେ।
କୈଳାଶ ମାନସରୋବର ଯାତ୍ରାକୁ ଦ୍ୱିତୀୟ ବାର ଆରମ୍ଭ କରିବା ପାଇଁ ନିକଟରେ ଭାରତ ଓ ଚୀନ୍ ମଧ୍ୟରେ ସହମତି ହୋଇଥିଲା। ଏନେଇ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ବୟାନ ଦେଇଥିଲେ ଓ କହିଥିଲେ ଆମେ ଆମର କୂଟନୈତିକ ସମ୍ପର୍କ ସ୍ଥାପନାର ୭୫ତମ ବାର୍ଷିକ ପାଳନ କରୁଛୁ। କୈଳାଶ ମାନସରୋବର ଯାତ୍ରା ପୁଣି ଆରମ୍ଭ ହେବା ଭାରତୀୟଙ୍କୁ ବେଶ୍ ଉତ୍ସାହିତ କରିଛି।
Powered by Froala Editor