କିନ୍ନର ପରିଚୟ ଦେଇ ଭାରତରେ ୨୦ ବର୍ଷ
ପରିଚୟ ବାଂଲାଦେଶୀ । କିନ୍ତୁ ୨୦ ବର୍ଷ ହେଲା ଜଣେ କିନ୍ନର ଭାବେ ଭାରତରେ ରହୁଥିଲେ । ଏପରି ଜଣେ ଚଦ୍ମରୂପୀକୁ ଧରିଛି ଭୋପାଳ ପୁଲିସ । ତାଙ୍କୁ ଅବଦୁଲ କଲାମ ନାମରେ ଚିହ୍ନଟ କରାଯାଇଛି । କିନ୍ତୁ ପ୍ରକୃତ ପରିଚୟ ଲୁଚାଇ ସେ ନେହା କିନ୍ନର ନାଁରେ ରହିଆସୁଥିଲେ ।
ପୁଲିସ ଅଧିକାରୀଙ୍କ ଅନୁସାରେ, କଲାମ ୧୭ ବର୍ଷ ବୟସରେ ଭାରତକୁ ଆସିଥିଲେ । ପରେ ନିଜର ବାଂଲାଦେଶୀ ନାଗରିକ ପରିଚୟକୁ ଲୁଚାଇବା ପାଇଁ ନକଲି ଭାରତୀୟ ପରିଚୟପତ୍ର ହାସଲ କଲେ । ଭୋପାଳର ମଙ୍ଗଲୱାରା ଓ ବୁଧୱାରା ଅଞ୍ଚଳକୁ ଆସିବା ପୂର୍ବରୁ ସେ ପ୍ରଥମେ ମହାରାଷ୍ଟ୍ରରେ ଥିଲେ । ନିଜକୁ ଭାରତୀୟ ନାଗରିକ ଭାବେ ଦର୍ଶାଇବା ପାଇଁ ସେ ଭୋଟର ଆଇଡି କାର୍ଡ ଓ ଆଧାରକାର୍ଡ ଭଳି ନକଲି ପରିଚୟପତ୍ର ହାସଲ କରିଥିଲେ । ନକଲି ପରିଚୟରେ ସେ ଏଠାରେ ନିଜକୁ ବେଶ୍ ଭଲ ଭାବେ ଖାପଖୁଆଇ ନେଲେ ।
ଏ ବିଷୟରେ ପୁଲିସ ଇଣ୍ଟେଲିଜେନ୍ସି ୟୁନିଟ୍ ସୂଚନା ପାଇବା ପରେ ତଲୈୟା ପୁଲିସ ତାଙ୍କୁ ପ୍ରାୟ ସପ୍ତାହ ତଳେ ଅଟକ ରଖିଲା । ଯାଞ୍ଚ୍ ସମୟରେ କଲାମଙ୍କ ଅପରାଧିକ ପୃଷ୍ଠଭୂମି ମଧ୍ୟ ସାମ୍ନାକୁ ଆସିଲା । ୨୦୧୯ରେ ଏମ୍ପି ନଗର ଥାନାରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଭୋପାଳ ପୁଲିସ କମିଶନର କହିଛନ୍ତି, କଲାମ ଓରଫ୍ ନେହା କିନ୍ନରଙ୍କୁ ଦେଶରୁ ତଡ଼ିବାର ନିର୍ଦ୍ଦେଶନାମା ଅଦ୍ୟାବଧି ଜାରି ହୋଇନାହିଁ । ଯାଞ୍ଚ୍ ଶେଷ ହେବା ପରେ ତାଙ୍କୁ ବାଂଲାଦେଶ ପଠାଯିବ । ସହରରେ ଅବୈଧ ଭାବେ ରହୁଥିବା ବିଦେଶୀ ନାଗରିକଙ୍କୁ ଚିହ୍ନଟ କରିବା ଲାଗି ଯାଞ୍ଚ୍ ଅଭିଯାନ ଚାଲିଛି ।
Powered by Froala Editor