କୋଭିଡ୍ ହସ୍ପିଟାଲ୍ରେ ଭୟାବହ ଅଗ୍ନିକାଣ୍ଡ: ୫୨ ମୃତ, ସଂଖ୍ୟା ଆହୁରି ବଢ଼ିପାରେ
ବାଗଦାଦି: ଇରାକ ରାଜଧାନୀ ବାଗଦାଦିରେ ଥିବା ଏକ କୋଭିଡ୍ ହସ୍ପିଟାଲ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୫୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨ରୁ ଅଧିକ ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।
ସୋମବାର ବିଳମ୍ବିତ ରାତିରେ ଇରାକର ଦକ୍ଷିଣରେ ଥିବା ନସିରିୟାର ଅଲ୍ ହୁସେନ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ଏହା ବ୍ୟାପୀ ଯାଇଥିଲା । ଫଳରେ ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନେ ଅଣନିଶ୍ୱାସୀ ହୋଇ ମୃତ୍ୟୁ ଘଟିଥିଲା । କିଛି ଜଣ ପୋଡ଼ି ଯାଇଥିଲେ । ସ୍ଥାନୀୟ ଦମକଳ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଅକ୍ସିଜେନ ଟାଙ୍କି ବିସ୍ଫୋରଣ ହେବାରୁ ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ଏକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଅକ୍ସିଜେନ ଟାଙ୍କି ସହିତ ସାନିଟାଇଜର ରହିଥିଲା । ଯାହାକି ନିଆଁ ଲାଗିବାରେ ସହଯୋଗ କରିଥିବା ସୂଚନା ରହିଛି । ସ୍ଥାନୀୟ ପ୍ରଶାସନ କହିଛି ଏଯାବତ ୫୨ ଜଣଙ୍କର ମୃତଦେହ ଠାବ କରାଯାଇଛି । ଅନେକ ଏବେ ନିଖୋଜ ରହିଛନ୍ତି । ସମ୍ପୂର୍ଣ୍ଣ ଉଦ୍ଧାର କାର୍ଯ୍ୟ ସରିବା ପରେ ପ୍ରକୃତ ମୃତାହତଙ୍କ ସଂଖ୍ୟା ଜଣାପଡ଼ିବ ବୋଲି କୁହାଯାଇଛି ।
ହସ୍ପିଟାଲରେ ମୋଟ୍ ବେଡ୍ ସଂଖ୍ୟା ୭୨ ରହିଥିଲା । ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । କାରଣ ବେଡ୍ ସଂଖ୍ୟା ଯଦିଓ ୭୨ ହେଲେ ଅନେକ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ଉପସ୍ଥିତ ଥିଲେ । ଏହି ଅଘଟଣ ପରେ ଇରାକ ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ୍ କାଧିମି ଏକ ଜରୁରୀ ବୈଠକ ଡାକିଛନ୍ତି । ଅଗ୍ନିକାଣ୍ଡର ରିପୋର୍ଟ ତୁରନ୍ତ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, ଏପ୍ରିଲରେ ବାଗଦାଦି ସ୍ଥିତ ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୮୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୦ରୁ ଅଧିକ ଲୋକ ଆହତ ହୋଇଥିଲେ।
Powered by Froala Editor