ସେପ୍ଟେମ୍ବର ୧୨ରେ ନିଟ୍(ୟୁଜି), ୧୯୮ ସହରରେ ହେବ ପରୀକ୍ଷା
ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ପ୍ରବେଶିକା ପରୀକ୍ଷା ନିଟ୍(ୟୁଜି) ଅନୁଷ୍ଠିତ ହେବ । ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଦେଶର ନୂଆ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିପାଇଁ କାଲିଠାରୁ ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ।
ସେପ୍ଟେମ୍ବରରେ ନିଟ୍ ହେବାକୁ ଥିବା ବେଳେ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଇଛି । ପୂର୍ବରୁ ୧୫୫ଟି ସହରରେ ପରୀକ୍ଷା ହେବାକୁ ଥିବା ବେଳେ ଏବେ ଏହାକୁ ୧୯୮କୁ ବୃଦ୍ଧି କରାଯାଇଛି । ସେହିଭଳି ୨୦୨୦ରେ ୩ ହଜାର ୮୬୨ଟି ପରୀକ୍ଷା କେନ୍ଦ୍ର ଥିବା ବେଳେ, ଏବେ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ପରୀକ୍ଷା କେନ୍ଦ୍ରରେ କୋଭିଡ୍ ପ୍ରୋଟୋକଲ୍ ପାଳନକୁ ସୁନିଶ୍ଚିତ କରାଯିବ । ଏଥିପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ଫେସ୍ ମାସ୍କ ଦିଆଯିବ । ପ୍ରବେଶ ଓ ପ୍ରସ୍ଥାନ ବେଳର ସମୟକୁ ଧ୍ୟାନ ଦିଆଯିବ । ପଞ୍ଜିକରଣ କଣ୍ଟାକ୍ଟଲେସ ହେବ । ପରୀକ୍ଷା କେନ୍ଦ୍ରକୁ ସାନିଟାଇଜେସନ୍ କରାଯିବା ସହ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
Powered by Froala Editor