ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା

ଧର୍ମଶାଳା: ହିମାଚଳ ପ୍ରଦେଶର ଧର୍ମଶାଳାରେ ସୋମବାର ସକାଳେ ବାଦଲ ଫଟା ବର୍ଷା ହୋଇଛି । ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବହୁ ଘରଦ୍ୱାର ନଷ୍ଟ ହୋଇଯାଇଛି । ଦୋକାନ ବଜାର ଭାଙ୍ଗିରୁଜି ଯାଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ପର୍ଯ୍ୟଟନସ୍ଥଳ ଭାଗସୁରେ ଆଜି ସକାଳେ ପ୍ରବଳ ବର୍ଷା ହୋଇଥିଲା । ନିର୍ଧୁମ ବର୍ଷା ଯୋଗୁଁ କିଛି ସମୟ ମଧ୍ୟରେ ବନ୍ୟା ପରିସ୍ଥିତି ଉପୁଜି ଥିଲା । ଦେଖୁ ଦେଖୁ ଏକ ଛୋଟ ନାଳ ନଦୀର ରୂପ ଧାରଣ କରିଥିଲା । ନାଳରେ ପାଣି ନିଷ୍କାସନ ହୋଇନପାରି ଓଭର ଫ୍ଲୋ ହୋଇଥିଲା । ଫଳରେ ଏହାର ଆଖପାଖରେ ଥିବା କିଛି ଦାମୀ କାର୍ ପାଣି ସ୍ରୋତରେ ଭାସି ଯାଇଥିବା ଦେଖାଯାଇଥିଲା । ନାଳ ନିକଟରେ କିଛି ହୋଟେଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି ।
ହିମାଚଳ ପ୍ରଦେଶର ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରବିବାରଠାରୁ ଲଗାଣ ବର୍ଷା ଲାଗି ରହିବା ଦ୍ୱାରା ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ଜମିରେ ପାଣି ଜମି ଫସଲ ନଷ୍ଟ ହୋଇଥିବା କୁହାଯାଉଛି ।
Powered by Froala Editor