ପୁଣି ତାଲିବାନ କବଜାକୁ ଯିବ ଅଫାଗାନିସ୍ଥାନ

କାବୁଲ: ଆଫଗାନିସ୍ତାନରୁ ଆମେରିକାର ସେନା ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଥିବା ବେଳେ ତାଲିବାନ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି । ତାଲିବାନର ଯୋଜନାବଦ୍ଧ ଆକ୍ରମଣକୁ ସାମ୍ନା କରିନପାରି ଆଫଗାନ ସେନା ବିଭିନ୍ନ ଅଂଚଳରୁ ଛତ୍ରଭଂଗ ଦେଉଛି । ତାଲିବାନ କବଜାକୁ ଏବେ ଦେଶର ଦୁଇ ତୃତୀୟାଂଶ ଅଂଚଳ ଆସିଯାଇଥିବା ବେଳେ ସମଗ୍ର ଦେଶକୁ ଖୁବ ଶୀଘ୍ର ନିଜ ନିୟନ୍ତ୍ରଣକୁ ନେଇଯିବୁ ବୋଲି ତାଲିବାନ ଶୀର୍ଷ କମାଣ୍ଡରମାନେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ।
ରାଜଧାନୀ କାବୁଲକୁ କବଜା କରିବା ପାଇଁ ତାଲିବାନ ଏବେ ବିଶାଳ ଯୋଜନା କରୁଛି ଏବଂ ଆଫଗାନ ସେନା ଏହାର ସଫଳ ମୁକାବିଲା କରିପାରିବା ନେଇ ସନେ୍ଦହ ଉପୁଜିଛି । ଏଭଳି ସ୍ଥିତିରେ ଭାରତ ସମେତ ପ୍ରାୟ ୧୬ଟି ରାଷ୍ଟ୍ର ସେମାନଙ୍କ ଦୂତାବାସର ସୁରକ୍ଷା ନେଇ ଚିନ୍ତିତ ହୋଇପଡ଼ିଛନ୍ତି । ଦୁଇ ଦିନ ତଳେ ଆଫଗାନିସ୍ତାନ-ଇରାନ ସୀମାରେ ତାଲିବାନର ପ୍ରଚଣ୍ଡ ଆକ୍ରମଣ ପରେ ଆଫଗାନ ସେନା ଛତ୍ରଭଂଗ ଦେଇ ଇରାନର ଶରଣକୁ ପଳାଇଥିବା ଜଣାପଡ଼ିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେରିକାର ସେନା ପ୍ରତ୍ୟାହାର ଜାରି ରହିଥିବାରୁ ଭାରତ, ରୁଷ, ଚୀନ ଏବଂ ଇରାନର ଚିନ୍ତା ବଢ଼ିଛି । ଅନ୍ୟପକ୍ଷରେ ତୁର୍କୀ, ପାକିସ୍ତାନ ସମେତ ଅନେକ ରାଷ୍ଟ୍ର ଆଫଗାନିସ୍ତାନକୁ ନେଇ ସକ୍ରିୟ ହୋଇଉଠିଛନ୍ତି ।
ପାକିସ୍ତାନର ଗୁଇନ୍ଦା ସଂଗଠନ ଆଇଏସଆଇ ଏବେ ତାଲିବାନ ଏବଂ ଅନ୍ୟ କେତେକ ସଂଗଠନ ଭିତରେ ସକ୍ରିୟ ରହିଛି । ଚୀନ ନିଜର ସିନଜିଆଙ୍ଗ ପ୍ରଦେଶ ଏବଂ ଉଇଘର ମୁସଲମାନଙ୍କୁ ନେଇ ସତର୍କ ହୋଇଉଠିଛି । ଇରାନକୁ ଆଫଗାନ ସୀମା ଲାଗିଥିବାରୁ ତାଲିବାନ ସମଗ୍ର ଅଂଚଳକୁ ନିଜ ନିୟନ୍ତ୍ରଣକୁ ନେଲେ ଇରାନ ପାଇଁ ମଧ୍ୟ ବିପଦ ସୃଷ୍ଟି ହେବ । ଅନ୍ୟପକ୍ଷରେ ପାକିସ୍ତାନ ସୀମାରେ ଏବେ ତାଲିବାନ ଅଧିକ ସକ୍ରିୟ ଅଛନ୍ତି ଏବଂ ଆବଶ୍ୟକସ୍ଥଳେ ପାକିସ୍ତାନ ସେନା ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ ପାଇଁ ମଧ୍ୟ ତାଲିବାନ ପଛାଇବ ନାହିଁ ବୋଲି କୁହାଯାଉଛି ।
Powered by Froala Editor