କେନ୍ଦ୍ରରେ ୯୦% ମନ୍ତ୍ରୀ କୋଟିପତି
ନୂଆଦିଲ୍ଲୀ : ବୁଧବାର ଦିନ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ମନ୍ତ୍ରୀ ସଂଖ୍ୟା ୭୮କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୩୩ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ବୋଲି ଏଡିଆର (ଆସୋସିଏସନ୍ ଫର ଡେମୋକ୍ରାଟିକ ରିଫର୍ମସ ) ଦ୍ୱାରା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି । ୨୪ ଜଣ ମନ୍ତ୍ରୀଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି । ନୂଆ ମନ୍ତ୍ରିମଣ୍ଡଳର ୪୨ ପ୍ରତିଶତ ସଦସ୍ୟ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି । ମନ୍ତ୍ରୀମାନଙ୍କ ନିର୍ବାଚନୀ ସତ୍ୟପାଠ ତଥ୍ୟରୁ ଏହା ଜଣାପଡ଼ିଛି । ୪ ମନ୍ତ୍ରୀଙ୍କ ବିରୋଧରେ ଆଇପିସିର ଧାରା ୩୦୭ ଅଧୀନରେ ହତ୍ୟା ଉଦ୍ୟମ ମାମଲା ରହିଛି । ସେମାନେ ହେଉଛନ୍ତି ଜନ ବାର୍ଲା, ନିଶୀଥ ପରମାଣିକ, ପଙ୍କଜ ଚୌଧରୀ ଏବଂ ଭି ମୁରଲୀଧରନ । ସେହିଭଳି ମୋଟ ୭୦ ଜଣ ମନ୍ତ୍ରୀ ତଥା ମନ୍ତ୍ରିମଣ୍ଡଳର ୯୦ ପ୍ରତିଶତ ମନ୍ତ୍ରୀ କୋଟିପତି । ପ୍ରତି ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ପ୍ରାୟ ୧୬.୨୪ କୋଟି ରହିଛି । ୪ ମନ୍ତ୍ରୀ ସେମାନଙ୍କର ୫୦ କୋଟିରୁ ଅଧିକ ସମ୍ପତ୍ତି ଥିବା ଘୋଷଣା କରିଛନ୍ତି । ସେମାନେ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ (୩୭୯ କୋଟି), ପୀୟୂଷ ଗୋୟଲ୍ (୯୫ କୋଟି), ନାରାୟଣ ରାଣେ (୮୭ କୋଟି) ଏବଂ ରାଜୀବ ଚନ୍ଦ୍ରଶେଖର (୬୪ କୋଟି) । ସବୁଠାରୁ କମ୍ ସଂପତ୍ତି ଥିବା ନେତା ହେଉଛନ୍ତି ପ୍ରତିମା ଭୌମିକ୍ (୬ ଲକ୍ଷ), ଜନ୍ ବାର୍ଲା (୧୪ ଲକ୍ଷ), କୈଳାଶ ଚୌଧୁରୀ (୨୪ ଲକ୍ଷ) ଏବଂ ବିଶ୍ୱେଶ୍ୱର ଟୁଡୁ (୨୭ ଲକ୍ଷ) ।
Powered by Froala Editor