କୋଭିଡ-୧୯ ର ଆଉ ଏକ ପ୍ରଜାତି ଲାମ୍ବଡା ୩୦ଟି ଦେଶରେ ଠାବ
ଲଣ୍ଡନ : କୋଭିଡ-୧୯ ର ଆଉ ଏକ ରୂପାନ୍ତରିତ ପ୍ରଜାତି ଲାମ୍ବଡା ଏବେ ୩୦ଟି ଦେଶରେ ଠାବ ହୋଇଥିବା ବେଳେ ଏହାକୁ ନେଇ ଗବେଷଣା ଜାରି ରହିଛି । ଡେଲଟାର ଡବଲ ମୁ୍ୟଟାଣ୍ଟଠାରୁ ମଧ୍ୟ ଏହି ଲାମ୍ବଡା ପ୍ରଜାତି ବହୁଗୁଣରେ ମାରାତ୍ମକ ବୋଲି ବି୍ରଟେନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଲାମ୍ବଡା ଭାରିଆଣ୍ଟ ପ୍ରଥମେ ପେରୁରେ ଠାବ ହୋଇଥିଲା ଏବଂ ଏବେ ସୁଦ୍ଧା ଏହା ୩୦ଟି ଦେଶରେ କାୟାବିସ୍ତାର କଲାଣି ।
ପେରୁରେ କୋଭିଡ-୧୯ ଜନିତ ମୃତୁ୍ୟହାର ବିଶ୍ୱରେ ସର୍ବାଧିକ ଥିବା ବେଳେ ଏଠାରେ କରୋନାର ଏହି ପ୍ରଜାତି ଏବେ ଶକ୍ତିଶାଳୀ ହେବା ଚିନ୍ତାର କାରଣ ହୋଇଛି । ବି୍ରଟେନରେ ମଧ୍ୟ ଲାମ୍ବଡା ଭାରିଆଣ୍ଟ ଚିହ୍ନଟ ହେବା ପରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି । ବି୍ରଟେନରେ ଲାମ୍ବଡାର ପ୍ରାୟ ୧୦ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ତେବେ ଏହି ଭାରିଆଣ୍ଟ ଡେଲଟାଠାରୁ ମଧ୍ୟ ଅଧକ ସଂକ୍ରାମକ ହୋଇଥିବାରୁ ଗବେଷମାନେ ଚିନ୍ତିତ ହୋଇପଡିଛନ୍ତି । ମେ ଓ ଜୁନରେ ଲାମ୍ବଡା ପେରୁରେ ୮୨ ପ୍ରତିଶତ ସଂକ୍ରମଣର କାରଣ ହୋଇଥିଲା ବୋଲି ୟୁରୋ ନୁ୍ୟଜ ପ୍ରକାଶ କରିଛି । ଲଣ୍ଡନ ଜନସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଦେଶରେ ଲାମ୍ବଡା ସଂକ୍ରମିତ ସମସ୍ତ ମାମଲା ଉପରେ ସତର୍କ ନଜର ରଖାଯାଇଛି ଏବଂ ଏହା ଅତି କ୍ଷୀପ୍ର ସଂକ୍ରମଣଶୀଳ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ଭାରିଆଣ୍ଟର ସଂକ୍ରମଣ କ୍ଷମତା ଅଧିକ ବୋଲି ଆମେରିକାର ବିଶେଷଜ୍ଞମାନେ ମଧ୍ୟ କହିଛନ୍ତି । ଭାରତରେ ଏ ପର୍ଯ୍ୟନ୍ତ ଲାମ୍ବଡା ପ୍ରଜାତି ଠାବ ହୋଇନାହିଁ ।
Powered by Froala Editor