ଦିଲ୍ଲୀରେ ଶବ୍ଦ ପ୍ରଦୂଷଣ କଲେ ସାବଧାନ ! ପଡ଼ିବ ମୋଟା ଅଙ୍କର ଜରିମାନା
ଦିଲ୍ଲୀ ପ୍ରଦୂଷଣ କଥା ସମସ୍ତେ ଜାଣିଛନ୍ତି । ତେବେ ଶବ୍ଦ ପ୍ରଦୂଷଣରେ ରୋକ ଲଗାଇଛନ୍ତି ସରକାର । ଏଣିକି ଲାଉଡସ୍ପିକର, ଜେନେରେଟର ସେଟ୍ ଅଥବା ଆତସବାଜୀରେ ଶବ୍ଦପ୍ରଦୂଷଣ କରୁଥିବା ଲୋକଙ୍କ ବିରୋଧରେ ୧୦ ହଜାରରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି ଆଦେଶ ରହିଛି । ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି(ଡିପିସିସି) ଧ୍ୱନୀ ନିୟମ ଉଲ୍ଲଂଘନ ନେଇ ଥିବା ଜରିମାନାରେ ସଂଶୋଧନ କରିଛନ୍ତି। ଏଥିରେ ଲାଉଡ ସ୍ପିକର ହେଉ ଅଥବା ସାର୍ବଜନିକ ଘୋଷଣା (ପିଏ) ବ୍ୟବସ୍ଥା ଜରିଆରେ ଧ୍ୱନିପ୍ରଦୂଷଣ କଲେ ସର୍ବାଧିକ ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି।
ଆଦେଶ ଅନୁସାରେ, ୧ହଜାର କିଲୋଭୋଲ୍ଟ ଆମ୍ପିୟର (କେବିଏ)ରୁ ଅଧିକ ଡିଜେଲ ଜେନେରେଟର ସେଟ୍ ଲାଗି ୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯିବ। ପୂର୍ବ ଅନୁମତି ବିନା ଅଧିକ ଶବ୍ଦ ସୃଷ୍ଟି କରୁଥିବା ନିର୍ମାଣ ସାମଗ୍ରୀ ଲାଗି ୫୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି। ଆବାସିକ ଅଞ୍ଚଳରେ ଆତସବାଜୀ କରୁଥିବା ଲୋକେ ଧରାପଡିଲେ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ଯଦି କେହି ସାଇଲେଣ୍ଟ ଜୋନରେ ଆତସବାଜୀ କରନ୍ତି ତେବେ ତାଙ୍କଠାରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଧାର୍ଯ୍ୟ ହେବ। ସେହିପରି ସାର୍ବଜନିକ ଶୋଭାଯାତ୍ରା, ବିବାହ ଉତ୍ସବ ଅଥବା ଅନ୍ୟ ଧାର୍ମିକ ଆୟୋଜନରେ ଆତସବାଜୀ ଆବାସିକ ଅଥବା ବାଣିଜ୍ୟିକ କ୍ଷେତ୍ରରେ ପ୍ରୟୋଗ ହେଉଥିଲେ ସର୍ବାଧିକ ୧୦ ହଜାର ଓ ସାଇଲେଣ୍ଟ ଜୋନରେ ହୋଇଥିଲେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବ। ଡିସିସିଙ୍କ ଏହି ସଂଶୋଧନ ପ୍ରସ୍ତାବକୁ ଏନଜିଟି ମଧ୍ୟ ସ୍ୱୀକୃତି ଦେଇଛନ୍ତି।
Powered by Froala Editor