ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛି କଡ଼କନାଥ କୁକୁଡ଼ା ମାଂସ !

ଭୋପାଲ: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସମସ୍ତେ ଏବେ ଚିନ୍ତାରେ । ବିଶେଷଜ୍ଞମାନେ ଏଥିରୁ କିପରି ଭାବେ ବର୍ତ୍ତିବେ ସେନେଇ ଦିନରାତି ଅନୁସନ୍ଧାନ ଚଳାଇଛନ୍ତି । କେଉଁ ଖାଦ୍ୟ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ ସେନେଇ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । ସରକାର ମଧ୍ୟ ଏନେଇ ସଚେତନ କରୁଛନ୍ତି । ଏଭଳି ସ୍ଥିତିରେ ଏବେ ଏକ ଖୁସି ଖବର ଆସିଛି । କଡ଼କନାଥ କୁକୁଡ଼ା ମାଂସ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବା ଏକ ସଂସ୍ଥା ପକ୍ଷରୁ ଦାବି କରାଯାଇଛି ।
ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାର ଏକ ନୂଆ ରିସର୍ଚ୍ଚ ସେଣ୍ଟର ଏହି ଦାବି କରିଛି । ଏନେଇ କୃଷି ବିଜ୍ଞାନ କେନ୍ଦ୍ର ଆଇସିଏମ୍ଆର୍ ଏବଂ ଡିପାର୍ଟମେଣ୍ଟ ଅଫ୍ ହେଲ୍ଥ ରିସର୍ଚ୍ଚକୁ ଚିଠି ଲେଖି ଜଣାଇଛି ।
ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, କଡକନାଥ କୁକୁଡା ମାଂସରେ ହାଇ ପ୍ରୋଟିନ୍, ଭିଟାମିନ, ଜିଙ୍କ ଏବଂ ଲୋ ଫ୍ୟାଟ୍ ରହିଛି । ସବୁଠାରୁ ବଡ଼ କଥା ହେଉଛି ଏହା କୋଲେଷ୍ଟ୍ରଲ ଫ୍ରି ମଧ୍ୟ । ଏଭଳି ସ୍ଥିତିରେ ପୋଷ୍ଟ କୋଭିଡ୍ ଏବଂ କୋଭିଡ ସମୟରେ ଏହି କୁକୁଡାର ମାଂସକୁ ନିଜ ଡାଏଟ୍ରେ ସାମିଲ୍ କରିବା ଉଚିତ । ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି କୃଷି ବିଜ୍ଞାନ କେନ୍ଦ୍ର ଏବଂ ଝାବୁଆ କଡକନାଥ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଦାବି ହୋଇଛି ।
କରୋନା ସଂକ୍ରମଣ ହେବା ପରେ ଲୋକମାନେ ଅତ୍ୟନ୍ତ ଦୁର୍ବଳ ହୋଇଯାଉଛନ୍ତି । କିଛି ଜଣ ସୁସ୍ଥ ହେବା ପରେ ମଧ୍ୟ ଅନ୍ୟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଯାହାକୁ ନେଇ ଏବେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି । ଏଭଳି କ୍ଷେତ୍ରରେ ଯଦି କଡ଼କନାଥ କୁକୁଡ଼ା ମାଂସ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ତେବେ ନିଶ୍ଚିତ ଭାବେ ଫଳପ୍ରଦ ହେବ ।
Powered by Froala Editor