ବିଶ୍ୱବିଦ୍ୟାଳୟରେ ଚାକିରୀ ପାଇଁ ପିଏଚଡ଼ି ବାଧ୍ୟତାମୂଳକ
ନୂଆଦିଲ୍ଲୀ : ୨୦୨୧ -୨୨ ଶିକ୍ଷାବର୍ଷ ପାଇଁ ଏକ ନୂଆ ନିୟମ ଲାଗୁ ହେବ । ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ କେବଳ ନେଟ (ନ୍ୟାସନାଲ ଇଲିଜିବିଲିଟି ଟେଷ୍ଟ) ନୁହେଁ ପିଏଚଡି ମଧ୍ୟ ବାଧ୍ୟତାମୂଳକ । ୨୦୧୮ରେ ଏହି ନିୟମ ଆସିଥିଲା । କିନ୍ତୁ ଚଳିତ ବର୍ଷ ଏହା କାର୍ଯ୍ୟକାରୀ ହେବ । ଆସିଷ୍ଟାଣ୍ଟ ପ୍ରଫେସର ପୋଷ୍ଟ ପାଇଁ ପ୍ରାର୍ଥୀମାନଙ୍କୁ ପିଏଚଡି ଡିଗ୍ରି ହାସଲ କରିବା ବାଧ୍ୟତାମୂଳକ । ପୂର୍ବରୁ ପିଏଚଡି ଡିଗ୍ରୀ କିମ୍ବା ନେଟ ମାଷ୍ଟର୍ସ ଡିଗ୍ରି ସହ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ପଦବି ପାଇଁ ଆବେଦନ କରୁଥିଲେ । ନିଯୁକ୍ତି ସମୟରେ ନିଟ ପରୀକ୍ଷା ପାସ କରିଥିବା ପ୍ରାର୍ଥୀମାନଙ୍କୁ ଅତିରିକ୍ତ ୫ରୁ ୧୦ ମାର୍କ ମିଳୁଥିଲା । ଅନ୍ୟପକ୍ଷେ ପିଏଚଡି ଡିଗ୍ରି ଥିବା ପ୍ରାର୍ଥୀମାନଙ୍କୁ ଅତିରିକ୍ତ ୩୦ ମାର୍କ ମିଳୁଥିଲା । କିନ୍ତୁ ୨୦୧୮ରେ ୟୁଜିସି (ୟୁନିଭର୍ସିଟି ଗ୍ରାଣ୍ଟସ କମିସନ)ର ଏହି ନୂଆ ନିୟମକୁ ତକ୍ରାଳୀନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେ଼କର ଘୋଷଣା କରିଥିଲେ । କେବଳ ପିଏଚଡିଧାରୀମାନେ ବିଶ୍ୱବିଦ୍ୟାଳୟରେ ନୂଆ ନିଯୁକ୍ତି ପାଇବେ ବୋଲି ଜାଭଡେକର ଘୋଷଣା କରିଥିଲେ ଏବଂ ଏଥିପାଇଁ ୩ ବର୍ଷ ସମୟ ଦେଇଥିଲେ । ଏବେ ଏହି ନିୟମ କାର୍ଯ୍ୟକାରୀ ହେବ ।
Powered by Froala Editor