ନଦୀକୁ ଶୌଚ ହେବାକୁ ଯାଇଥିଲେ, ଭାଲୁ ଆକ୍ରମଣରେ ହେଲେ ଗୁରୁତର
ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ଖୁମଠାଣ ଗ୍ରାମ ନିକଟ ସାଳନ୍ଦୀ କୂଳରେ ବୁଧବାର ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତିଜଣକ ହେଉଛନ୍ତି ମହୁଲଡିହା ଥାନା ଖୁମଠାଣ ଗ୍ରାମର ହେମନ୍ତ ନାଏକ(୫୦)।
ସୂଚନା ଅନୁଯାୟୀ, ଆଜି ସକାଳୁ ହେମନ୍ତ ଗ୍ରାମ ନିକଟରେ ଥିବା ସାଳନ୍ଦୀ ନଦୀକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଏକ ଭାଲୁ ଆସି ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣ ସମୟରେ ହେମନ୍ତ ଚିତ୍କାର କରିବାରୁ ଆଖ ପାଖରେ ଥିବା ଲୋକେ ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ। ଲୋକଙ୍କୁ ଦେଖି ଭାଲୁ ଚାଲିଯିବା ପରେ ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ହେମନ୍ତଙ୍କୁ ପରିବାର ଲୋକେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଅଟୋ ଯୋଗେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଭାଲୁ ଆକ୍ରମଣରେ ହେମନ୍ତଙ୍କ ମୁଣ୍ଡ, ଡାହାଣ ହାତ, ଗୋଡରେ ଗଭୀର କ୍ଷତ ହୋଇଛି। ତେବେ ହେମନ୍ତ ବିପିଏଲ ଶ୍ରେଣୀର ହୋଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି।
Powered by Froala Editor