ଥଣ୍ଡାରେ ପୀଡିତ ୪ ବର୍ଷର ଶିଶୁ, ଡାକ୍ତର ପିଆଇଲେ ସିଗାରେଟ

ଉତ୍ତର ପ୍ରଦେଶର ଜଲାଉନ ଜିଲାରୁ ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଏକ ସାମୁଦାୟିକ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ କାର୍ଯ୍ୟ କରୁଥିବା ଡାକ୍ତର ସୁରେଶ ଚନ୍ଦ୍ରା ଜଣେ ଚାରି ବର୍ଷର ପିଲାକୁ ଥଣ୍ଡା ଭଲ କରେଇବା ପାଇଁ ସିଗାରେଟ ପିଆଇଥିବା ଅଭିଯୋଗ ହୋଇଛି।
କିଛିଦିନ ତଳେ ଜଣେ ନାବାଳକ ଥଣ୍ଡାରେ ପୀଡ଼ିତ ହୋଇଥିବାରୁ ତା’ ପରିବାର ଲୋକେ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ସୁରେଶ ଚନ୍ଦ୍ର ନାମକ ଡାକ୍ତର ଥଣ୍ଡା ଭଲ କରିବାକୁ ନାବାଳକୁ ଧୂମପାନ କରାଇଥିଲେ। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ନିର୍ଦେଶକ୍ରମେ ସୁରେଶଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ଏପରି ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଘଟଣାର ତଦନ୍ତ ଚାଲିଛି ଏବଂ ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏହି ଅମାନବୀୟ କାର୍ଯ୍ୟ ଦେଖି ସ୍ଥାନୀୟ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ତୀବ୍ର ନିନ୍ଦା ପ୍ରକାଶ ପାଇଛି। ଅନେକ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
Powered by Froala Editor