ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନେତାଙ୍କ ଭିଡ଼
ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯିବ । ଏନେଇ ଏବେ ଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ନେତାଙ୍କ ଭିଡ଼ ଜମିବାରେ ଲାଗିଛି । ସେଭେନ ଲୋକକଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଘରେ ଭିଡ଼ ଧୀରେ ଧୀରେ ଭିଡ଼ ହେବାରେ ଲାଗିଛି । ନୂଆ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ପଦ ପାଇବା ନେଇ ଚର୍ଚ୍ଚାରେ ଥିବା ନେତା ମୋଦୀଙ୍କ ବାସଭବନରେ ପହଞ୍ଚୁଥିବା ଜଣାଯାଇଛି । ବିଜେପି ସଭାପତି ଜେ.ପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ପହଞ୍ଚିଥିବା ଜଣାଯାଇଛି ।
ପ୍ରକାଶ ଯେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିବେ । ସଂଧ୍ୟା ୬ଟାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯିବ ବୋଲି ଜଣାପଡ଼ିଛି । ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସର୍ବାଧିକ ୮୧ ମନ୍ତ୍ରୀ ରହିପାରିବେ । କିନ୍ତୁ ଏବେ ମାତ୍ର ୫୩ ଜଣ ମନ୍ତ୍ରୀ ରହିଛନ୍ତି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ପଶୁପତି ପାରସ, ସୁଶୀଲ କୁମାର ମୋଦି, ନାରାୟଣ ରାଣେ, ଆରସିପି ସିଂହ, ସନ୍ତୋଷ କୁଶୱାହ, ଜାମୟଙ୍ଗ ସେରିଂ ନାମଗ୍ୟାଲ, ଲକେଟ ଚାଟାର୍ଜୀ, ଦିଲୀପ ଘୋଷ, ଜାଫେଣ ଇସଲାମ, ଅନୁପ୍ରିୟା ପଟେଲ, ପଙ୍କଜ ଚୌଧୁରୀ, ରୀତା ବହୁଗୁଣା ଯୋଶୀ, ରାମଶଙ୍କର କାଠେରିଆ, ବରୁଣ ଗାନ୍ଧୀ, ଲଲନ ସିଂହ, ରାହୁଲ କୁଶୱାହ, ସିପି ଯୋଶୀ, ସକଲଦୀପ ରାଜଭର ଓ ଅଶ୍ୱିନୀ ବୈଷ୍ଣବ ସାମିଲ ହେବେବୋଲି ଚର୍ଚ୍ଚା ହେଉଛି ।
ତେବେ ମୋଦିଙ୍କ ଟିମରେ ଓଡ଼ିଶାରୁ କିଏ ନୂଆ ମୁହଁ ଭାବେ ସ୍ଥାନ ପାଇବେ ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କ ନାମକୁ ନେଇ ଚର୍ଚ୍ଚା ଜୋରବି ଧରିଥିଲା । ତେବେ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ମୋଦିଙ୍କ ଟିମରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
Powered by Froala Editor