ମମତା ବାନାର୍ଜୀଙ୍କ ବଡ ନିଷ୍ପତି, ଜାଣନ୍ତୁ କ’ଣ ?

କୋଲକାତା : ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବିଧାନ ପରିଷଦ ଗଠନ ପ୍ରସ୍ତାବ ପାରିତ ହୋଇଛି । ଗତ ମେ ୧୮ ତାରିଖରେ ତୃତୀୟ ଥର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ବିଧାନସଭାର ଉଚ୍ଚ ସଦନ ବିଧାନ ପରିଷଦ ଗଠନ ପାଇଁ କ୍ୟାବିନେଟ ନିଷ୍ପତିକୁ ମଞ୍ଜୁର ଦେଇଥିଲେ । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ଯେଉଁ ବୁଦ୍ଧିଜୀବୀ ଓ ବରିଷ୍ଠ ନେତାମାନଙ୍କୁ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କିତ କରାଯାଇନଥିଲା, ସେମାନଙ୍କୁ ବିଧାନ ପରିଷଦର ସଦସ୍ୟ କରାଯିବ । ବିଧାନସଭା ନିର୍ବାଚନ ପରେ ନନ୍ଦିଗ୍ରାମ ଓ ସିଙ୍ଗୁର ଅଭିଯାନରେ ଯେଉଁମାନେ ସାମିଲ ହୋଇଥିଲେ ସେମାନଙ୍କୁ ମଧ୍ୟ ବିଧାନ ପରିଷଦକୁ ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସୂଚନା ଯୋଗ୍ୟ, ଭାରତରେ ୬ଟି ରାଜ୍ୟରେ ବିଧାନ ପରିଷଦ ରହିଛି । ସେଗୁଡିକ ହେଉଛି, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ । ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ଆସନ । ଏକ ବିଧାନ ପରିଷଦ ସଦସ୍ୟ ସଂଖ୍ୟା ବିଧାନସଭା ସଦସ୍ୟ ସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ହେବ ନାହିଁ । ତେଣୁ ରାଜ୍ୟରେ ବିଧାନ ପରିଷଦ ସଦସ୍ୟ ସଂଖ୍ୟା ୯୮ ହେବ ।
Powered by Froala Editor