କର୍ଣ୍ଣାଟକରେ ଇସ୍ରାଏଲ ଯୁବତୀଙ୍କୁ ଗଣଦୁଷ୍କର୍ମ: ୩ ପୁରୁଷ ବନ୍ଧୁଙ୍କୁ ମାରି ହ୍ରଦକୁ ଫିଙ୍ଗି ଦେଲେ ଦୁର୍ବୃତ୍ତ

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ଆସିଛି ଏକ ଛାତିଥରା ଘଟଣା ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ଆଉ ଏ ଲଜ୍ଜାଜନକ ଘଟଣା ପାଇଁ ସାରା ବିଶ୍ବରେ ଭାରତ ପୁଣି ଥରେ ନିନ୍ଦିତ ହୋଇଛି । କର୍ଣ୍ଣାଟକରେ ଇସ୍ରାଏଲ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି । ଇସରାଏଲ ଯୁବତୀଙ୍କ ସମେତ ଦୁଇ ଜଣ ଯୁବତୀଙ୍କୁ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି । ଏଥିସହ ସେମାନଙ୍କ ସାଥିରେ ଥିବା ୩ ଜଣ ପୁରୁଷ ବନ୍ଧୁଙ୍କୁ ମଧ୍ୟ ମାଡ ମାରି ହ୍ରଦକୁ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ ।
ତେବେ ନିଖୋଜ ୩ ଜଣ ପୁରୁଷ ବନ୍ଧୁଙ୍କ ଭିତରୁ ଜଣଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ମୃତକ ଜଣଙ୍କ ଓଡିଶାର ହୋଇଥିବା ବେଳେ ତାଙ୍କ ଘର ଓଡିଶାର କେଉଁ ଜିଲ୍ଲାରେ ତାହା ସ୍ପଷ୍ଟ ଜଣାପଡିନି ।
ସେପଟେ ମିଳିଥିବା ସୂଚନା ଅନୁସାରେ ଗୁରୁବାର ପ୍ରାୟ ରାତି ୧୧ରୁ ସାଢେ ୧୧ଟା ଭିତରେ ସାନପୁର ହ୍ରଦ ନିକଟରେ ଏଭଳି ଭୟଙ୍କର କାଣ୍ଡ ଘଟିଛି । ଇସ୍ରାଏଲ ଯୁବତୀ ଏବଂ ସେ ଯାହାଙ୍କ ଘରେ ରହୁଥିଲେ ସେ ଯୁବତୀଙ୍କ ସମେତ ଅନ୍ୟ ୩ ଜଣ ପୁରୁଷ ବନ୍ଧୁ ହ୍ରଦ କୂଳରେ ମସ୍ତି କରୁଥିଲେ । ଏହି ସମୟରେ ବାଇକରେ ୩ ଜଣ ଆସି ସେମାନଙ୍କୁ ପେଟ୍ରୋଲ୍ ପମ୍ପ କଥା ପଚାରିଲେ । ଯୁବତୀ ଜଣଙ୍କ ଆଖପାଖରେ କୌଣସି ପେଟ୍ରୋଲ୍ ପମ୍ପ ନଥିବା କହିବା ପରେ ଦୁର୍ବୃତ୍ତମାନେ ସେମାନଙ୍କୁ ଟଙ୍କା ମାଗିଥିଲେ ଏବଂ ଏମାନେ ଟଙ୍କା ଦେବାକୁ ରାଜି ନହେବାରୁ ଗଣ୍ଡଗୋଳ ଏବଂ ମାରପିଟ ପରିସ୍ଥିତି ସୃଷ୍ଟି ହୋଇଥିଲା । ୩ ଦୁର୍ବୃତ୍ତ ୩ ଜଣ ପୁରୁଷ ବନ୍ଧୁଙ୍କୁ ଧକ୍କାମାରି ହ୍ରଦରେ ପକାଇ ଦେଇଥିଲେ ଏବଂ ୨ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିବା ସୂଚନା ମିଳିଛି ।
ଘଟଣା ପରେ କର୍ଣ୍ଣାଟକ କାଣ୍ଡ ସାରା ଭାରତର ଛବିକୁ ବିଶ୍ବ ଦରବାରରେ ଲଜ୍ଜିତ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଅଭିଯୁ୍କ୍ତଙ୍କୁ ଧରିବାକୁ ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରୁଛି ।
Powered by Froala Editor