ରେଷ୍ଟୁରାଣ୍ଟରେ ଖାଇ ବିଲ୍ ଦେଉଥିଲେ, ଆସିଲା ହାର୍ଟଆଟାକ୍

ରାଜସ୍ଥାନର ରାଜସମନ୍ଦ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ୨୭ ବର୍ଷୀୟ ଯୁବକ ଏକ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇ ସାରି ଟଙ୍କା ପୈଠ କରୁଥିଲେ। ଠିକ ଏହି ସମୟରେ ଯୁବକ ଜଣକ ହୃଦଘାତର ଶିକାର ହୋଇ କାଉଣ୍ଟରରେ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ। ଯୁବକଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ହେଲେ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣାଟି ମାର୍ଚ୍ଚ ୧ ତାରିଖ ରାତିରେ ଘଟିଥିବା କୁହାଯାଉଛି। ଏହି ସମ୍ପୂର୍ଣ୍ଣ ଘଟଣାଟି ସେହି ଅଞ୍ଚଳର ଏକ ରେଷ୍ଟୁରାଣ୍ଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଯୁବକ ଜଣକ ୨୭ ବର୍ଷୀୟ ସଚିନ ବୋଲି ଚିହ୍ନଟ ହୋଇଛନ୍ତି । ସେ ରାଜସମନ୍ଦ ପୌର ପରିଷଦରେ ଜଣେ ସଫେଇ କର୍ମଚାରୀ ଭାବରେ ନିଯୁକ୍ତ ଥିଲେ । ସେ ଜିଲ୍ଲାର ଟିଭିଏସ ଛକରେ ଅବସ୍ଥିତ କେଲଭା ରେଷ୍ଟୁରାଣ୍ଟରେ ଖାଇବାକୁ ଯାଇଥିଲେ, ତା’ପରେ ସେ ବିଲିଂ କାଉଣ୍ଟରକୁ ଯାଇଥିଲେ ଏବଂ ତାଙ୍କୁ ବିଲ୍ ଦିଆଯାଇଥିଲା।
ସେ ତାଙ୍କ ପର୍ସରୁ ଟଙ୍କା ବାହାର କରିବା ମାତ୍ରେ ହଠାତ୍ ତଳେ ପଡ଼ିଗଲେ ଏବଂ ମୃତ୍ୟୁବରଣ କଲେ । ସମଗ୍ର ଘଟଣାଟି ରେଷ୍ଟୁରାଣ୍ଟରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି ।
Powered by Froala Editor