ଇସ୍ତଫା ଦେଇପାରନ୍ତି ମମତା ବାନାର୍ଜୀ, କାହିଁକି ଜାଣନ୍ତୁ ?
କୋଲକାତା: ବିଧାନସଭାର ସଭ୍ୟ ନଥାଇ ମୁଖ୍ୟମନ୍ତ୍ରୀ ହେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୬ ମାସ ମଧ୍ୟରେ ନିର୍ବାଚନ ଜିତିବାର ଆବଶ୍ୟକତା ରହିଛି । ସେହି ଅନୁଯାୟୀ ମମତାଙ୍କୁ ଆସନ୍ତା ନଭେମ୍ବର ୫ ତାରିଖ ସୁଦ୍ଧା ନିର୍ବାଚିତ ହୋଇ ବିଧାନସଭାକୁ ଆସିବା ଆବଶ୍ୟକତା ରହିଛି । କିନ୍ତୁ ବର୍ତ୍ତମାନ ଦେଶରେ କରୋନା ମହାମାରୀ ଚାଲିଛି । ମହାମାରୀ ପାଇଁ ଉପନିର୍ବାଚନ ସମ୍ଭବ ହୋଇ ପାରୁ ନଥିବାରୁ ନିକଟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଏହା ପଛରେ ମମତାଙ୍କୁ ମୋଦୀ ସରକାର ପାନେ ଦେବାର ଅଭିଳାଷ ରହିଛି । ଉତ୍ତରାଖଣ୍ଡରେ ଉପନିର୍ବାଚନ ହୋଇ ନଥିବାରୁ ପଶ୍ଚିମବଙ୍ଗରେ ମଧ୍ୟ ହୋଇପାରିବ ନାହିଁ ବୋଲି ଯୋଜନା ରହିଥିବା ଚର୍ଚ୍ଚା ହେଉଛି । କିନ୍ତୁ ମୋଦୀ ସରକାରଙ୍କ ଏଭଳି ଯୋଜନାରେ ତୃଣମୂଳ କଂଗ୍ରେସ ସେତେଟା ଚିନ୍ତିତ ନଥିବା ଜଣାଯାଇଛି । ଯଦି ଉପନିର୍ବାଚନ ହୋଇ ନପାରିବ ତାହେଲେ ମମତା ତାଙ୍କ ୬ ମାସର କାର୍ଯ୍ୟକାଳ ଶେଷ ହେବାର ଦୁଇ ଦିନ ପୂର୍ବରୁ ଇସ୍ତଫା ଦେବେ । ଦୁଇଦିନ ପରେ ପୁଣି ଥରେ ଶପଥ ନେବେ ବୋଲି ଦଳର ପ୍ରବକ୍ତା ତଥା ସାଂସଦ ସୌଗତ ରାୟ କହିଛନ୍ତି । ଏହାବ୍ୟତୀତ ଦ୍ୱିତୀୟ ବିକଳ୍ପ ବିଷୟରେ ମଧ୍ୟ ତୃଣମୂଳ କଂଗ୍ରେସ ଚିନ୍ତା କରୁଛି । ଦଳ ଉପନିର୍ବାଚନକୁ ପୂରାପୂରି ଏଡ଼ାଇ ଯିବାକୁ ଚାହୁଛନ୍ତି । ଏହା ପରିବର୍ତ୍ତେ ରାଜ୍ୟରେ ବିଧାନ ପରିଷଦକୁ ପୁଣି କାର୍ଯ୍ୟକ୍ଷମ କରିବା ଉଦ୍ୟମ କରାଯାଉଛି । କ୍ରମାଗତ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର କିଛିଦିନ ପରେ ମମତା ଏ ନେଇ ଘୋଷଣା କରିଛନ୍ତି । ବିଧାନ ପରିଷଦର ଜଣେ ସଭ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ବସିପାରିବେ । ତେବେ ତୃଣମୂଳ କଂଗ୍ରେସ ପାଇଁ ଏହା ସହଜ ହେବନାହିଁ । କାରଣ ଏଥିପାଇଁ ସଂସଦର ସ୍ୱୀକୃତି ଦରକାର । କିନ୍ତୁ ସଂସଦରେ ବିଜେପିର ସଂଖ୍ୟା ଗରିଷ୍ଠତା ଥିବାରୁ ତୃଣମୂଳ ଏଥିରେ ସଫଳ ହେବା ଆଶା କରାଯାଉନାହିଁ ।
Powered by Froala Editor