ଆସନ୍ତାକାଲି ମୋଦି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

ନୂଆଦିଲ୍ଲୀ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବେ । ଏବେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ୫୩ ଜଣ ମନ୍ତ୍ରୀ ରହିଥିଲା ବେଳେ ୨୮ଟି ପଦ ଖାଲି ପଡିଛି । ତେଣୁ ୧୭-୨୨ ଜଣଙ୍କୁ ନୂଆ ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି । ୨୦୧୯ରେ ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ଏହା ହେବ ମୋଦିଙ୍କ ମନ୍ତ୍ରିମଣ୍ଡଳର ପ୍ରଥମ ସମ୍ପ୍ରସାରଣ । ମୋଦି ଗତ ୨ ଦିନ ହେଲା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ସାଧାରଣ ସମ୍ପାଦକ ବିଏଲ ସନ୍ତୋଷଙ୍କ ସହ କ୍ୟାବିନେଟ ସମ୍ପ୍ରସାରଣ ନେଇ ବିଚାର ବିମର୍ଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ୭ ଲୋକ କଲ୍ୟାଣ ମାର୍ଗରେ ଏହି ଆଲୋଚନା ହୋଇଛି ।
ରବିବାର ପ୍ରାୟ ୬ ଘଣ୍ଟା ଧରି ଆଲୋଚନା ହୋଇଥିଲା । ତା ପୂର୍ବରୁ ଶନିବାର ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ବ୍ୟାପକ ବିଚାର ବିମର୍ଶ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭଳମିକା ନିର୍ବାହ କରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମୋଦି କ୍ୟାବିନେଟର ଯୁବା ଚେହେରା ହୋଇପାରନ୍ତି । ତାଲିକାରେ ତାଙ୍କ ବ୍ୟତୀତ ଜବଲପୁରର ବିଜେପି ସାଂସଦ ରାକେଶ ସିଂହଙ୍କ ନାମ ଥିବା ଆଲୋଚନା ହେଉଛି । ସେହିପରି କେତେକ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ ।
ତେବେ ସବୁଠାରୁ ଗୁରୁ୍ତ୍ୱପୂର୍ଣ୍ଣ କଥା ହେଲା ଓଡ଼ିଶାରୁ କିଏ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ । ଜାତୀୟ ଗଣମାଧ୍ୟମରେ ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ତେବେ ମନ୍ତ୍ରୀପଦ ଆଶାୟୀ ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଚର୍ଚ୍ଚା ହେଉନାହିଁ । ତେଣୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିପାରେ ବୋଲି କୁହାଯାଉଛି ।
Powered by Froala Editor