ଗୋମତୀ ନଦୀକୂଳ ଦୁର୍ନୀତି : ୪୦ଟି ସ୍ଥାନରେ ସିବିଆଇ ଚଢ଼ାଉ
ଉତ୍ତରପ୍ରଦେଶ ଗୋମତୀ ନଦୀକୂଳ ଦୁର୍ନୀତିର ତଦନ୍ତ ଆରମ୍ଭ ହୋଇଛି । ସିବିଆଇର ଦୁର୍ନୀତି ନିବାରଣ ୱିଙ୍ଗ ଦେଶର ତିନିଟି ରାଜ୍ୟର ଅନେକ ସ୍ଥାନରେ ଚଢ଼ାଉ କରିଛି । ଉତ୍ତରପ୍ରଦେଶ ବ୍ୟତୀତ ସିବିଆଇ ଟିମ୍ ରାଜସ୍ଥାନ ଏବଂ ପଶ୍ଚିମବଙ୍ଗର ୪୦ଟି ସ୍ଥାନରେ ଚଢ଼ାଉ କରିଛି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ, ଗାଜିଆବାଦ, ନୋଏଡ଼ା ବୁଲନ୍ଦ ସହର ଓ ରାଏ ବରେଲିର ବିଭିନ୍ନ ଅଞ୍ଚଳରେ ସିବଆଇ ଟିମ୍ ଚଢ଼ାଉ ଜାରି ରଖିଛି ।
ଉଲ୍ଲେଖ ଥାଉ କି, ସମାଜବାଦୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଗୋମତୀ ନଦୀକୂଳ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ପ୍ରୋଜେକ୍ଟ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ୧୫ ଶହ ୧୩ କୋଟି ଟଙ୍କା ମଞ୍ଜୁର କରିଥିଲେ । ୧୪ଶହ ୩୭ କୋଟି ଟଙ୍କା ମଞ୍ଜୁର ହେବା ପରେ ବି ମାତ୍ର ୬୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିଲା । ରିଭର ପ୍ରଣ୍ଟ ପ୍ରକଳ୍ପ ନିର୍ମାଣ ଦାୟିତ୍ବ ନେଇଥିବା ଠିକାସଂସ୍ଥା ୯୫ ପ୍ରତିଶତ ଟଙ୍କା ବଜେଟ ମଞ୍ଜୁର ହେବା ପରେ ବି କାମ ସମ୍ପୂର୍ଣ୍ଣ କରି ନଥିଲା ।
୨୦୧୭ରେ ଏହି ପ୍ରୋଜେକ୍ଟର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏ ନେଇ ଏକ ନ୍ୟାୟିକ ଆୟୋଗ ମଧ୍ୟ ଗଠନ କରାଯାଇଥିଲା । ନଦୀକୂଳ ନିର୍ମାଣ ଦାୟିତ୍ବରେ ଥିବା ଇଞ୍ଜିନିୟର ଅନେକ କଳା ତାଲିକାଭୁକ୍ତ କମ୍ପାନୀକୁ କାମ ଦେବା, ବିଦେଶରୁ ଅଧିକ ଦାମରେ ସାମଗ୍ରୀ କିଣିବା ଆଦି ସମ୍ପର୍କରେ ରିପୋର୍ଟରେ ଦର୍ଶାଇଥିଲେ ନ୍ୟାୟିକ ଆୟୋଗ । ଆଉ ନ୍ୟାୟିକ ଆୟୋଗର ରିପୋର୍ଟ ଆଧାରରେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗତ ଶୁକ୍ରବାର ଏହି ଦୁର୍ନୀତି ନେଇ ୧୯୦ ଜଣଙ୍କ ନାଁରେ ମାମଲା ହୋଇଥିଲା ।
Powered by Froala Editor