ନୂଆ ପାଠ୍ୟ ଖସଡ଼ା ପ୍ରସ୍ତୁତ କଲା ସିବିଏସ୍ଇ: ବର୍ଷକୁ ଦୁଇ ଥର ପରୀକ୍ଷା ଦେବେ ବିଦ୍ୟାର୍ଥୀ

ନୂଆଦିଲ୍ଲୀ: କରୋନା ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଶିକ୍ଷା ବ୍ୟବସ୍ଥା । ଦୁଇ ବର୍ଷ ହେଲା ପିଲାମାନଙ୍କ କ୍ଲାସ୍ ରୁମ୍ ପାଠପଢ଼ା ଏକ ପ୍ରକାର ବନ୍ଦ ରହିଛି । କେବଳ ଅନଲାଇନ୍ରେ କ୍ଲାସ୍ କରାଯାଉଛି । ଦୁଇ ବର୍ଷ ଧରି ଏଭଳି ପରିସ୍ଥିତି ଲାଗି ରହିଥିବା ବେଳେ ଆଗାମୀ ଦିନରେ ପରିସ୍ଥିତି ସୁଧୁରିବ ନା ନାହିଁ ତାହା ଅନିଶ୍ଚିତତା ମଧ୍ୟରେ । ଏସବୁକୁ ଦୃଷ୍ଟିରେ ରଖି ସିବିଏସ୍ଇ ଆଜି ଏକ ବଡ଼ ଘୋଷଣା କରିଛି ।
୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ସ୍ୱତନ୍ତ୍ର ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି । ନୂଆ ପାଠ୍ୟ ଖସଡ଼ା ଅନୁଯାୟୀ, ଏଣିକି ବର୍ଷକୁ ଦୁଇ ଥର ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏହା ଟର୍ମ-୧ ଓ ଟର୍ମ-୨ ବୋର୍ଡ ପରୀକ୍ଷା ଭାବେ ନାମିତ ହେବ । ମୋଟ ସିଲାବସ୍ର ୫୦% ଲେଖାଏ ପାଠକୁ ନେଇ ଦୁଇଟି ପରୀକ୍ଷା ହେବ । ଦୁଇଟି ଯାକ ପରୀକ୍ଷାର ମାର୍କକୁ ମିଶାଇ ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ କରାଯିବ । ଉଭୟ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ନିୟମ ଲାଗୁ ହେବ ।
ଟର୍ମ ପରୀକ୍ଷାର ସମୟ ସୀମା ୯୦ ମିନିଟ୍ର ରହିବ । ସିବିଏସ୍ଇ ପ୍ରଶପତ୍ନ ସହ ମାର୍କିଂ ପଦ୍ଧତି ସ୍କୁଲଗୁଡ଼ିକୁ ପଠାଇବ । ପରୀକ୍ଷା ଏକ୍ସଟରନାଲ ସୁପରିଟେଣ୍ଡଣ୍ଟ ଓ ସିବିଏସ୍ଇ ଦ୍ୱାରା ନିୟୁକ୍ତ ନୀରକ୍ଷକଙ୍କ ତତ୍ତ୍ୱାବଧାନରେ ସମ୍ପାଦନ ହେବ । ଟର୍ମ-୧ ପରୀକ୍ଷା ନଭେମ୍ବର-ଡିସେମ୍ବରରେ ଓ ଟର୍ମ-୨ ପରୀକ୍ଷା ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ହେବ । ପ୍ରତି ୫୦% ସିଲାବସ୍ ଶେଷ ହେବା ପରେ ଟର୍ମ ପରୀକ୍ଷା କରାଯିବ।
ଗତ ବର୍ଷ ପରି ସଂକ୍ଷିପ୍ତ ସିଲାବସ୍ ଅନୁସାରେ ଏହି ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ପାଠପଢ଼ା ବୋର୍ଡର ସିଲାବସ୍ ଆଧାରରେ କରାଯିବ । ଗତ ମାର୍ଚ୍ଚରେ ବୋର୍ଡ ଜାରି କରିଥିବା ସିଲାବସ୍ରେ ପାଠପଢ଼ା ହେବ ବୋଲି ସୂଚନା ଦିଆଯାଇଛି ।
Powered by Froala Editor