ଠାବ ହେଲା ନକ୍ସଲ ଡମ୍ପ
ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ଏକ ସଫଳତା। ଠାବ କରିଛି ଏକ ନକ୍ସଲ ଡମ୍ପ। ସେଠାରୁ ଜବତ କରିଛି ଗୋଟିଏ ଅତ୍ୟାଧୁନିକ ଏସ୍ଏଲଆର ବନ୍ଧୁକ ଓ ଗୁଳି ସହିତ ନକ୍ସଲଙ୍କ ଦ୍ୱାରା ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ।ମୋଟୁ ଥାନା ଅନ୍ତର୍ଗତ ଜିନେଲଗୁଡ଼ାରେ ଏକ ନକ୍ସଲ ଡମ୍ପ ଥିବା ନେଇ ମାଲକାନଗିରି ଏସ୍ପି ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ। ଏହା ପରେ ଗତକାଲି ତାଙ୍କ ନେତୃତ୍ୱରେ ଏକ ଡିଭିଏଫ୍ ଟିମ୍ ଜିନେଲଗୁଡ଼ାରେ ସର୍ଚ୍ଚ ଅପରେସନ କରିଥିଲେ। ସେହି ସମୟରେ ନକ୍ସଲ ଡମ୍ପ ଠାବ କରାଯାଇଥିଲା। ମାଟି ଖୋଳି ତା’ ତଳୁ ବନ୍ଧୁକ, ଗୁଳି, ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଥିଲା।
ସାଧାରଣ ଲୋକଙ୍କୁ ଅବା ସୁରକ୍ଷା କର୍ମଚାରୀଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ନକ୍ସଲମାନେ ଏହି ଡମ୍ପକୁ ବ୍ୟବହାର କରିଥା’ନ୍ତେ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ମାଲକାନଗିରି ଏସ୍ପି। ମାଲକାନଗିରି ପୁଲିସ ପାଇଁ ଏହା ଏକ ଭଲ ସଫଳତା। ଆଗକୁ ମଧ୍ୟ ମାଲକାନଗିରି ପୁଲିସ ଏଭଳି ପ୍ରୟାସ ଜାରି ରଖିବ ବୋଲି ଏସ୍ପି କହିଥିଲେ।
Powered by Froala Editor