ବଲ୍ ଆଣିବାକୁ ଯାଇ ନାଗାବଳୀରେ ଭାସିଗଲେ ୨ ଷଷ୍ଠ ଶ୍ରେଣୀ ଛାତ୍ର
ରାୟଗଡ଼ା ସହର ଉପକଣ୍ଠ ଝୁଲାପୋଲ ନିକଟରେ ଅଘଟଣ ଘଟିଛି। ନାଗାବଳୀ ନଦୀରେ ଭାସୁଥିବା ବଲ୍ ଆଣିବାକୁ ଉଦ୍ୟମ କରି ଦୁଇ ଜଣ ଷଷ୍ଠ ଶ୍ରେଣୀ ଛାତ୍ର ପାଣିରେ ବୁଡ଼ି ଯାଇଛନ୍ତି। ମୃତ ଛାତ୍ର ଦ୍ୱୟ ହେଉଛନ୍ତି- ସି.ଏଚ୍ ଭାର୍ଗବ ଓ ଶ୍ରୀଦୁ କୁମାର ଯାଦବ। ସେମାନେ ଏକ ଘରୋଇ ସ୍କୁଲରେ ପଢ଼ୁଥିଲେ।
ଘଟଣାରୁ ପ୍ରକାଶ ଯେ, ବିଦ୍ୟାଳୟରେ ପରୀକ୍ଷା ସରିବାପରେ ଚାରି ସାଙ୍ଗ ଖେଳିବା ନିମନ୍ତେ ଝୁଲାପୋଲ ନିକଟସ୍ଥ ନଦୀ ନିକଟକୁ ଯାଇଥିଲେ। ସେଠାରେ ସେମାନେ ନାଗାବଳୀ ନଦୀ ପଠାରେ ଖେଳୁଥିବା ବେଳେ ପ୍ରଥମେ ସି.ଏଚ୍ ଭାର୍ଗବଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ନଦୀରେ ପଡ଼ି ଯାଇଥିଲେ। ସେ ବୁଡ଼ି ଯାଉଥିବା ଦେଖି ତାଙ୍କୁ ରକ୍ଷା କରିବାକୁ ପ୍ରୟାସ କରିଥିବା ଶ୍ରୀନୁ କୁମାର ଯାଦବ ମଧ୍ୟ ବୁଡ଼ି ଯାଇଥିଲେ। ନଦୀର ପ୍ରଖର ସ୍ରୋତରେ ସି.ଏଚ୍ ଭାର୍ଗବ ଭାସିଯାଇଥିଲେ ସେହି ସମୟରେ ପାଖରେ ଠିଆ ହୋଇଥିବା ଶ୍ରୀନୁ ସାଙ୍ଗକୁ ବଞ୍ଚାଇବାକୁ ଯାଇ ହାତ ବଢ଼େଇଥିବା ବେଳେ ସେ ମଧ୍ୟ ଖସିପଡ଼ି ନଦୀରେ ବୁଡ଼ି ଯାଇଥିଲା।
ଦୁଇ ସାଙ୍ଗ ବୁଡ଼ି ଯାଉଥିବା ଦେଖି ଜନ୍ମେଜୟ ସାଉଁନ୍ତ ଓ ଏ.ଏନ୍ ଭବେଶ ମାରିଗୁଡ଼ା ଲୋକଙ୍କୁ ଡାକିଥିଲେ। ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେବା ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ଦୁଇ ଛାତ୍ରଙ୍କୁ ଖୋଜାଖୋଜି କରିଥିଲେ ଏବଂ ସେମାନଙ୍କ ମୃତଦେହ ପାଇଥିଲେ।
Powered by Froala Editor