ଦୌଡ଼ି ଆସିଲା ହେଟାବାଘ, ଲାଞ୍ଜକୁ ଧରି ପକାଇଲେ ଯୋଗାନନ୍ଦ
କୁକୁର କି ବିଲେଇ ନୁହେଁ । ହେଟାବାଘର ଲାଞ୍ଜ ଧରି ପକାଇଲେ କର୍ଣ୍ଣାଟକ ଟୁମକୁରୁରେ ଜଣେ ବ୍ୟକ୍ତି । ଘଟଣାଟି ଟୁମକୁର ଜିଲ୍ଲା ଚିକ୍କାକୋ;ିଗେହଲ୍ଲିର । ସେଠାରେ ହେଟାବାଘଟି ଘୂରି ବୁଲୁଥିଲା । ବହୁତ ଲୋକଙ୍କୁ ଆକ୍ରମଣ କରିବା ସହିତ ଜୀବଜନ୍ତୁଙ୍କୁ ମାରି ଖାଇ ଦେଉଥିଲା । ଲୋକେ ଅତିଷ୍ଠ ହୋଇ ବନବିଭାଗକୁ ଖବର ଦେଇଥିଲେ । ସୋମବାର ବନ ବିଭାଗ ତାର ଟିମ୍ ନେଇ ହେଟାବାଘକୁ ଧରିବାକୁ ଅଭିଯାନ ଆରମ୍ଭ କରିଥିଲେ ।
ସେଥିଲାଗି ପିଞ୍ଜରା ଲଗାଯାଇଥିଲା । କିନ୍ତୁ ହେଟାବାଘଟି ଜାଲରେ ଫସିବା ବଦଳରେ ଲୋକଙ୍କ ଆଡକୁ ଅତର୍କିତ ଭାବେ ଝାମ୍ପ ମାରିଥିଲା । ସେତିକିବେଳେ ଗାଁର ୪୩ ବର୍ଷୀୟ ଯୋଗାନନ୍ଦ ହେଟାବାଘର ଲାଞ୍ଜକୁ ଧରି ପକାଇଥିଲେ । ଯୋଗାନନ୍ଦ ବାଘ ଲାଞ୍ଜ ଧରିବା ପରେ ବନ ବିଭାଗର କର୍ମଚାରୀମାନେ ତାକୁ ଚାରିପଟୁ ଘେରି କାବୁ କରିଥିଲେ ।
ବନ ବିଭାଗର ଅଧିକାରୀ କହିଛନ୍ତି, ହେଟାବାଘର ବୟସ ପ୍ରାୟ ୪ବର୍ଷ ହେବ । ସେହି ଅଞ୍ଚଳରେ ଶିକାରର ଅଭାବ ଥିବାରୁ ତାହା ଦୁର୍ବଳ ହୋଇପଡ଼ିଥିଲା । ତାର ଆଖିରେ ମଧ୍ୟ ସମସ୍ୟା ରହିଛି । ସେଥିଯୋଗୁ ସେ ଠିକ୍ ଭାବେ ଦେଖିପାରୁନାହିଁ । ବର୍ତ୍ତମାନ ତାକୁ ମହୀଶୂରର ଏକ ରେସକ୍ୟୁ ସେଣ୍ଟରକୁ ପଠାଯାଇଛି ।
ଯୋଗାନନ୍ଦ କହିଛନ୍ତି, ଜାଲ ଓ ପିଞ୍ଜରା ଲଗାଇବା ପରେ ଆମେ ବନବିଭାଗ ଟିମ୍ ସହିତ ମିଶି ହେଟାବାଘର ପାଦ ଚିହ୍ନ ଖୋଜିବା ଆରମ୍ଭ କରିଥିଲୁ । ହେଟାବାଘର କୌଣସି ଚିହ୍ନବର୍ଣ୍ଣ ଦେଖାଯାଉ ନଥିଲା । ଇତିମଧ୍ୟରେ ମହିଳା, ପିଲାଙ୍କ ସମେତ ଗାଁର ଅନେକ ଲୋକ ସେଠାରେ ଏକତ୍ରିତ ହୋଇଥିଲେ । ଅଚାନକ ଏକ ବୁଦା ମଧ୍ୟରୁ ହେଟାବାଘ ବାହାରି ମହିଳା ଓ ପିଲାଙ୍କ ଆଡକୁ ଦୌଡି଼ଥିଲା । ମୁଁ ସଙ୍ଗେ ସଙ୍ଗେ ତାର ଲାଞ୍ଜକୁ ଧରି ପକାଇଲି । ବନ ବିଭାଗର ଟିମ୍ ମଧ୍ୟ ତୁରନ୍ତ ତାକୁ କାବୁ କରିଥିଲା । ଯୋଗାନନ୍ଦଙ୍କର ଏହି ସାହସିକତାକୁ ସମସ୍ତେ ପ୍ରଶଂସା କରୁଛନ୍ତି ।
Powered by Froala Editor