ଜଙ୍ଗଲରେ ଅଗ୍ନିକାଣ୍ଡ ଘଟି ୫ ମୃତ
ନୁ୍ୟୟର୍କ: ଆମେରିକାର କାଲିଫର୍ଣ୍ଣିଆ ସହର ଅନ୍ତର୍ଗତ ଲସ ଏଞ୍ଜେଲ୍ସ ନିକଟ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଣ୍ଟାପ୍ରତି ୭୦ ମାଇଲ ବେଗରେ ପବନ ବହୁଥିବାରୁ ନିଆଁ ଅଧିକ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଜଙ୍ଗଲ ନିକଟବର୍ତ୍ତୀ ଘରଗୁଡ଼ିକ ପୋଡ଼ି ପାଉଁଶ ହୋଇଯାଇଛି। ପ୍ରାୟ ୧ ହଜାର ଘର ପୋଡ଼ି ନଷ୍ଟ ହୋଇଯାଇଥିବାବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଉକ୍ତ ଅଞ୍ଚଳରେ ଜରୁରୀ ପରିସ୍ଥିତି ଲାଗୁ କରାଯାଇଛି। ଲୋକମାନେ ଘରଦ୍ବାର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି। ଜଙ୍ଗଲକୁ ଲାଗି ହଲିଉଡ୍ ହିଲ୍ସ ରହିଥିବାରୁ ସେଠାରେ ଭୟର ବାତାବରଣ ଖେଳିଯାଇଛି। ନିଆଁରେ ଅନେକ ହଲିଉଡ ସେଲିବ୍ରିଟିଙ୍କ ଘର ବି ଜଳି ପାଉଁଶ ହୋଇଯାଇଛି। ବିଲ୍ କ୍ରିଷ୍ଟଲ, ମେଣ୍ଡି ମୁର, ଜେମି ଲି କର୍ଟିସ ଏବଂ ପ୍ୟାରିସ ହିଲଟନଙ୍କ ଘର ନିଆଁରେ ପୋଡ଼ିଯାଇଥିବା ଜଣାପଡ଼ିଛି। ବିଲ୍ କ୍ରିଷ୍ଟଲ ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ନିଜେ ସୂଚନା ଦେଇଛନ୍ତି। ହଲିଉଡ୍ ହିଲ୍ସ ବା ସହରରେ ଅନେକ ବଡ଼ ବଡ଼ ଷ୍ଟୁଡିଓ ରହିଥିବାରୁ ସେଠାରେ ଭୟର ବାତାବରଣ ଲାଗି ରହିଛି।ନିଆଁ ପ୍ରଥମେ ପାସିଫିକ ପ୍ୟାଲିସେଡ୍ସ ଜଙ୍ଗଲରେ ଲାଗିଥିଲା। ଧୀରେ ଧୀରେ ନିଆଁ ବ୍ୟାପି ଇଟନ ଏବଂ ହର୍ଷ୍ଟ ଜଙ୍ଗଲକୁ ନିଜ କବଳକୁ ନେଇଯାଇଥିଲା। ପରେ ପରେ ଲିଡିୟା, ବୁଡଲି ଏବଂ ସନସେଟ ପର୍ୟ୍ୟନ୍ତ ପରିବ୍ୟାପ୍ତ ହୋଇଯାଇଛି। ଶତାଧିକ ଏକର ଜଙ୍ଗଲ ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରଶାସନ ପକ୍ଷରୁ ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ହୋଇଥିଲେ ହେଁ ସେଥିରେ କୌଣସି ସୁଫଳ ମିଳିନାହିଁ। ପବନର ନ କମିବା ପର୍ୟ୍ୟନ୍ତ ନିଆଁ ଲିଭାଇବା କଷ୍ଟକର ହେବ ବୋଲି କୁହାଯାଉଛି।
Powered by Froala Editor