୪ ବର୍ଷ ପରେ ୨୦୨୫ରୁ ଆରମ୍ଭ ହେବ ଜନଗଣନା

ଦୀର୍ଘ ୪ ବର୍ଷ ପରେ ୨୦୨୫ରୁ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ତରଫରୁ ଜନଗଣନା କରାଯିବା ସମ୍ପର୍କରେ ଏଭଳି କିଛି ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଏ ନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ୨୦୨୫ରୁ ୨୦୨୬ ଯାଏ ଦେଶରେ ଚାଲିବ ଏହି ପ୍ରକ୍ରିୟା । ୨୦୨୧ରେ ହେବାର ଥିଲା ଜନଗଣନା । କିନ୍ତୁ କରୋନା ମହାମାରୀ କାରଣରୁ ବନ୍ଦ ରଖାଯାଇଥିଲା ।ଏବେ ୨୦୨୫ ରେ ଜନଗଣନା ହେବା ପରେ ଏହି ରାଷ୍ଟ୍ରୀୟ ସାଂଖିକ ଅନୁଧ୍ୟାନର ଅବଧିଚକ୍ର ମଧ୍ୟ ପରିବର୍ତ୍ତନ ହେବ, ୨୦୨୫-୨୬ ରେ ଜନଗଣନା ଶେଷ ହେଲେ ପରବର୍ତ୍ତୀ ଜନଗଣନା ୨୦୩୫ ମସିହାରେ ହେବ ।
ସୂଚନା ମୁତାବକ, ପ୍ରତି ଦଶ ବର୍ଷରେ ଜନଗଣନା କରାଯାଉଥିଲା। ଉଦାହରଣ ସ୍ୱରୂପ, ୧୯୯୧, ୨୦୦୧, ୨୦୧୧ ଇତ୍ୟାଦିରେ ଜନଗଣନା ହୋଇଥିଲା। ଏବେ ୨୦୨୫ରେ ଜନଗଣନା ହେଲେ ପରବର୍ତ୍ତୀ ଜନଗଣନା ପ୍ରତି ୧୦ ବର୍ଷରେ ଅର୍ଥାତ ୨୦୩୫, ୨୦୪୫ ଓ ୨୦୫୫- ଏହି କ୍ରମରେ ହେବ।
ଏହି ଜନଗଣନା ପରେ ଦେଶର ଲୋକସଂଖ୍ୟାରେ କେତେ ବୃଦ୍ଧି ଘଟିବ, ତାହା ଉପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । କାରଣ ଏହି ତଥ୍ୟ ଆଧାରରେ ଦେଶର ସଂସଦୀୟ ନିର୍ବାଚନ ମଣ୍ଡଳୀ ଓ ବିଧାନସଭା ନିର୍ବାଚନ ମଣ୍ଡଳୀର ସୀମା ପୁନଃନିର୍ଦ୍ଧାରିତ ହେବା ସହ ଆସନ ସଂଖ୍ୟା ବୃଦ୍ଧି ପାଇବ । ୨୦୨୬ରେ ଏହାର ଚୂଡାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ୨୦୨୮ ସୁଦ୍ଧା ଦେଶରେ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବ । କିନ୍ତୁ ଜନଗଣନା ସହିତ ଜାତି ଗଣନା ହେବନି ବୋଲି ଜଣାପଡ଼ିଛି। ତେବେ ଆନୁଷ୍ଠାନିକ ଭାବେ ଏହା ଘୋଷଣା ହୋଇନାହିଁ।
ବହୁ ବିରୋଧୀ ଦଳର ଜାତିଗତ ଜନଗଣନା ପାଇଁ ମଧ୍ୟ ଦାବି ରହିଛି, କିନ୍ତୁ ସରକାର ଏ ବାବଦରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି। ଜନଗଣନା ପ୍ରକ୍ରିୟାର ବିବରଣୀ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ।
ଜନଗଣନାରେ ସାଧାରଣତଃ ଧର୍ମ ଏବଂ ଶ୍ରେଣୀ ପଚରାଯାଏ। ସାଧାରଣ, ଅନୁସୂଚିତ ଜାତି ଏବଂ ଜନଜାତି ଗଣନା କରାଯାଏ। ଏହା କୁହାଯାଉଛି ଯେ, ଏଥର ଲୋକଙ୍କୁ କେଉଁ ସମ୍ପ୍ରଦାୟର ଅନୁଗାମୀ ବୋଲି ମଧ୍ୟ ପଚରା ଯାଇପାରିବ।
Powered by Froala Editor