ଚାରି ମାସ ବଢ଼ିଲା ଡୁଆଲ ଏୟାରବ୍ୟାଗ ସମୟ ସୀମା

ନୂଆଦିଲ୍ଲୀ: କାରର ଆଗ ଦୁଇଟି ସିଟରେ ଏୟାରବ୍ୟାଗ୍ ଲଗାଇବା ବିଷୟକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଥିଲେ । ଏଥିପାଇଁ ଯେଉଁ ସୟମ ସୀମା ଧାର୍ଯ୍ୟ କରାଯାଇଥିଲା ତାହାକୁ ଆଉ ଚାରି ମାସ ବଢ଼ାଇ ଦିଆଯାଇଛି । କରୋନା ମହାମାରୀର ପ୍ରଭାବକୁ ଦୃଷ୍ଟିରେ ରଖି ଡୁଆଲ୍ ସାମ୍ନା ଏୟାରବ୍ୟାଗ୍ ବାଧ୍ୟତାମୂଳକ ସମୟ ସୀମାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବର୍ତ୍ତମାନ କେବଳ ଡ୍ରାଇଭର ସିଟ ପାଇଁ ଏୟାରବ୍ୟାଗ୍ ବାଧ୍ୟତାମୂଳକ ରହିଛି । ଚଳିତ ବର୍ଷ ମାର୍ଚ୍ଚ ୬ରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ତରଫରୁ ଡୁଆଲ୍ ଫ୍ରଣ୍ଟ ଏୟାରବ୍ୟାଗକୁ ବାଧ୍ୟତାମୂଳକ କରାଯାଇଥିଲା । ୨୦୨୧ ଏପ୍ରିଲ୍ ୧ ପରଠାରୁ ନିର୍ମାଣ ହେବାକୁ ଥିବା ନୂଆ ମଡେଲ ପାଇଁ ସାମ୍ନା ଏୟାରବ୍ୟାଗକୁ ବାଧ୍ୟତାମୂଳକ କରାଯାଇଥିଲା । ଯେଉଁ କାରଗୁଡ଼ିକୁ କଂପାନିଗୁଡ଼ିକ ଏହା ପୂର୍ବରୁ ତିଆରି କରିଛନ୍ତି ସେଥିରେ ଡୁଆଲ୍ ଏୟାରବ୍ୟାଗ୍ ଲଗାଇବା ପାଇଁ ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । ଦୁର୍ଘଟଣା ସମୟରେ ସାମ୍ନାରେ ବସିଥିବା ଯାତ୍ରୀଙ୍କୁ ସୁରକ୍ଷା ଦେବା ଲାଗି ଏୟାରବ୍ୟାଗ ବାଧ୍ୟତାମୂଳକ କରାଯାଇଛି । କରୋନା ମହାମାରୀ ପ୍ରଭାବ ଯୋଗୁଁ ଏୟାରବ୍ୟାଗ୍ ଲଗାଇବାର ସମୟ ସୀମା ବଢ଼ାଇବା ପାଇଁ କାର ନିର୍ମାତା ସଂଘ ସିଆମ୍ ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା ।
Powered by Froala Editor