ତିରୁପତି ଲଡୁ ବିବାଦ : ବିବାଦ ସତ୍ତ୍ୱେ ୪ ଦିନରେ ୧୪ ଲକ୍ଷ ଲଡୁ ବିକ୍ରି
ତିରୁପତି ବାଲାଜୀ ମନ୍ଦିରର ଲଡୁ ମାଛ ତେଲ, ଘୁଷୁରି ଓ ଗୋରୁ ଚର୍ବିର ଅପମିଶ୍ରଣରେ ପ୍ରସ୍ତୁତ ହେଉଥିବା ବିବାଦ ମଧ୍ୟରେ ହଜାର ହଜାର ଲଡୁ ବିକ୍ରି ହେଉଛି। ଭେଙ୍କେଟେଶ୍ବର ମହାପ୍ରଭୁଙ୍କ ଉପରେ ଭକ୍ତମାନଙ୍କ ଆସ୍ଥା ପୂର୍ବଭଳି ରହିଛି । ଏହାର ଜ୍ବଳନ୍ତ ଉଦାହଣ ହେଉଛି ଲଡୁ ବିକ୍ରି । ଏଭଳି ବିବାଦ ମଧ୍ୟରେ ଲଡୁ ବିକ୍ରିରେ କୌଣସି ବଡ ତଫାତ୍ ଦେଖିବାକୁ ମିଳିନାହିଁ । ଗତ ୪ ଦିନ ମଧ୍ୟରେ ୧୪ ଲକ୍ଷ ଲଡୁ ବିକ୍ରି ହୋଇଥିବା ସୂଚନା ରହିଛି । ମନ୍ଦିରର ସ୍ୱଚ୍ଛତା ଉପରେ ଏହି ବିବାଦ କୌଣସି ପ୍ରକାରର ପ୍ରଭାବ ପକାଇନାହିଁ। ଦିନକୁ ଏଠାକୁ ୬୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହେଉ ଥିବାବେଳେ ହଜାର ହଜାର ଲଡୁ ବିକ୍ରି ହେଉଛି।
ମନ୍ଦିର ପ୍ରଶାସନ ସୂଚନା ଅନୁସାରେ, ୪ ଦିନ ମଧ୍ୟରେ ତିରୁପତି ମନ୍ଦିରରେ ୧୪ ଲକ୍ଷ ଲଡୁ ବିକ୍ରି ହୋଇଛି। ସେପ୍ଟେମ୍ବର ୧୯ରେ ୩ ଲକ୍ଷ ୫୯ ହଜାର ଲଡୁ ବିକ୍ରି ହୋଇ ଥିବାବେଳେ ସେପ୍ଟେମ୍ବର ୨୦ରେ ୩ ଲକ୍ଷ ୧୭ ହଜାର, ସେପ୍ଟେମ୍ବର ୨୧ରେ ୩ ଲକ୍ଷ ୬୭ ହଜାର ଏବଂ ୨୨ରେ ୩ ଲକ୍ଷ ୬୦ ହଜାର ଲଡୁ ବିକ୍ରି ହୋଇଛି।
ଏହାର ଅର୍ଥ ତିରୁପତି ମନ୍ଦିରରେ ଦିନକୁ ୩ ଲକ୍ଷ ୫୦ ହଜାର ଲଡୁ ବିକ୍ରି ହେଉଛି। ପ୍ରକାଶଥାଉକି, ତିରୁପତି ମନ୍ଦିରର ଲଡୁରେ ପଶୁ ଚର୍ବି ଏବଂ ମାଛ ତେଲ ବ୍ୟବହାର କରାଯାଉଥିବା ଜଣାପଡିବା ପରେ ସମଗ୍ର ଦେଶରେ ଆଲୋଡ଼ନ ଦେଖାଦେଇଛି । ପ୍ରସାଦକୁ ବ୍ୟଭିଚାର କରି ହିନ୍ଦୁମାନଙ୍କର ବିଶ୍ୱାସ ସହିତ ଖେଳାଯାଇଛି ବୋଲି ଅନେକ ଚର୍ଚ୍ଚା ହୋଇଛି । କିନ୍ତୁ ଭକ୍ତମାନଙ୍କ ଆସ୍ଥା ପୂର୍ବଭଳି ରହିଛି । ଜଣେ ଭକ୍ତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ତିରୁପତିଙ୍କ ଲଡୁକୁ ନେଇ ବିବାଦ ଚାଲିଥିଲେ ବି ଆମର ଏବେ ବି ବିଶ୍ୱାସ ଦୃଢ ରହିଛି।"
Powered by Froala Editor