ଧନବୃଦ୍ଧି ପାଇଁ କିଛି ବାସ୍ତୁ ଟିପ୍ସ
ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ଅର୍ଥର ଆବଶ୍ୟକତା ରହିଛି । ଏହା ସହିତ ଅନ୍ୟାନ୍ୟ ସୁଖସୁବିଧା ପାଇଁ ମଧ୍ୟ ଅର୍ଥ ଦରକାର । ତେଣୁ ସମସ୍ତେ ଆର୍ଥିକସ୍ତରରେ ଉନ୍ନତି କରିବାକୁ ଚାହାନ୍ତି । କିନ୍ତୁ ଏମିତି କିଛି ବାସ୍ତୁଦୋଷ ରହିଛି, ଯାହା ଦ୍ୱାରା ଘରେ ଅର୍ଥାଭାବ ସୃଷ୍ଟି ହୋଇଥାଏ ।
କାନ୍ଥରେ ଦିଆଯାଇଥିବା ରଙ୍ଗ
ଘରର କାନ୍ଥରେ ଦିଆଯାଇଥିବା ରଙ୍ଗ ମଧ୍ୟ ସକାରାତ୍ମକ ପ୍ରଭାବ ଆଣିଥାଏ । ତେଣୁ ଉତ୍ତର-ପୂର୍ବ ଦିଗରେ ଥିବା କାନ୍ଥରେ ହାଲ୍କା ନୀଳ ରଙ୍ଗ ଲଗାନ୍ତୁ । ଏହି ରଙ୍ଗ ରଚନାତ୍ମକ ଓ ସକାରାତ୍ମକ ଶକ୍ତି ବୃଦ୍ଧି କରିଥାଏ । ବାସ୍ତୁଶାସ୍ତ୍ରରେ ଦିଗ ଅନୁଯାୟୀ, ଏକ କଲର୍ଚାର୍ଟ୍ ରହିଥାଏ । ତାହାକୁ ଅନୁସରଣ କରିହେବ । ଏହା ଦ୍ୱାରା ଘରେ ସୁଖସମୃଦ୍ଧି ବଢିବା ସହିତ ଆର୍ଥିକ ଉନ୍ନତି ହୋଇଥାଏ । ବାଥ୍ରୁମ୍ ଓ ରୋଷେଇ ଘରେ ଲାଲ୍ ରଙ୍ଗ ଦିଅନ୍ତୁ ନାହିଁ ।
ଜଳାଶୟ ପାଇଁ ଉଚିତ ସ୍ଥାନ
ବାସ୍ତୁଶାସ୍ତ୍ରରେ ଜଳାଶୟର ବେଶ୍ ଗୁରୁତ୍ୱ ରହିଛି । କାରଣ ଏହା ଆର୍ଥିକ କ୍ଷେତ୍ରକୁ ପ୍ରଭାବିତ କରିଥାଏ । ବାସ୍ତୁ ଅନୁଯାୟୀ, ଆର୍ଥିକ ଉନ୍ନତି ପାଇଁ ସୁଇମିଙ୍ଗ୍ ପୁଲ୍ ଘରର ଉତ୍ତର, ଉତ୍ତରପୂର୍ବ କିମ୍ବା ପୂର୍ବ ଦିଗରେ ରହିବା ସର୍ବୋତ୍ତମ । ୱାଟର୍ ଫାଉଣ୍ଡେସନ୍ ଥିଲେ, ଧ୍ୟାନ ରଖନ୍ତୁ ଯେପରିକି ପାଣି ଉତ୍ତରରୁ ପୂର୍ବ ଆଡକୁ ପଡୁଥିବ । ଅଣ୍ଡରଗ୍ରାଉଣ୍ଡ୍ରେ ପାଣି ଟାଙ୍କି ରଖୁଥିଲେ, ଏହା ଉତ୍ତର, ପୂର୍ବ ବା ଉତ୍ତରପୂର୍ବ ଦିଗରେ ନିର୍ମାଣ କରନ୍ତୁ । ଘର ଉପରେ ପାଣିଟାଙ୍କି ଥିଲେ, ଦକ୍ଷିଣ, ଦକ୍ଷିଣପୂର୍ବ କିମ୍ବା ଦକ୍ଷିଣପଶ୍ଚିମ ଦିଗରେ ରଖନ୍ତୁ । ଏହାଦ୍ୱାରା ଘରେ ଧନବୃଦ୍ଧି ହୋଇଥାଏ ।
ଆଲମାରୀ ସଠିକ୍ ଦିଗରେ ରଖନ୍ତୁ
ବାସ୍ତୁ ଅନୁଯାୟୀ, ଦକ୍ଷିଣ କିମ୍ବା ଦକ୍ଷିଣ ପଶ୍ଚିମ ଦିଗରେ ଟଙ୍କା ରଖାଯାଉଥିବା ଆଲମାରୀ ରଖନ୍ତୁ । ଆଲମାରୀର ମୁହଁ ଉତ୍ତର ଦିଗକୁ ଖୋଲୁଥିବା ଆବଶ୍ୟକ । ଆଲମାରୀ ସାମନାରେ ଦର୍ପଣ ରଖିବା ମଧ୍ୟ ଶୁଭ । କାରଣ ଆଲମାରୀ ଖୋଲିବା ସମୟରେ ଧନସମ୍ପଦର ପ୍ରତିବିମ୍ବ ଦେଖାଯାଏ । ଏହା ଆପଣଙ୍କ ଅର୍ଥର ଦ୍ୱିଗୁଣିତ କରିବାର ପ୍ରତୀକ ।
ଘର ଚାରିପାଖରେ ରଖନ୍ତୁ ସବୁଜିମା
ଘରର ବଗିଚାରେ ମନିପ୍ଲାଂଟ ଲଗାନ୍ତୁ । ଏହା ଘରର ଆର୍ଥିକ କ୍ଷେତ୍ର ସହିତ ଜଡିତ । ଯଦି ବଗିଚା ପାଇଁ ସ୍ଥାନ ନାହିଁ, ତେବେ ଘରର ଉତ୍ତର ଭାଗରେ ବଗିଚାର ଏକ ପେଂଟିଙ୍ଗ୍ ଲଗାନ୍ତୁ । ଏହା ଯୋଗୁଁ କ୍ୟାରିୟର୍ରେ ଉନ୍ନତି ହେବା ସହିତ ଅତିରିକ୍ତ ଧନପ୍ରାପ୍ତି ହେବ ।
ଖୋଲା ଏବଂ ବ୍ୟବସ୍ଥିତ ଘର
ଘରକୁ ସଫାସୁତରା ଓ ସୁବ୍ୟବସ୍ଥିତ କରି ରଖିବା ଉଚିତ । ଉତ୍ତର ଦିଗ ଧନ ସହିତ ଜଡିତ । ତେଣୁ ଉତ୍ତର ଦିଗକୁ ଅଧିକ ସଫାସୁତରା ରଖନ୍ତୁ । ଘରର ଏହି ଦିଗରେ ଭାରି ଜିନିଷ ବା ଆସବାବପତ୍ର ରଖନ୍ତୁ ନାହିଁ । ଏହି ଦିଗରେ ଶିଡି ରହିବା ମଧ୍ୟ ଉଚିତ ନୁହେଁ, କାରଣ ଶିଡି ଧନର ଆଗମନରେ ବାଧା ସୃଷ୍ଟି କରିଥାଏ ।
Powered by Froala Editor