ପିଲାଙ୍କ ଟିକାକରଣ ନେଇ ଆସିଲା ବଡ଼ ଖବର, ଜାଣନ୍ତୁ କ’ଣ
ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ କେନ୍ଦ୍ର ସରକାର ଟିକାକରଣ ଅଭିଯାନକୁ ଜୋରଦାର କରାଯାଇଛି । ତେବେ ଏହାରି ଭିତରେ ପିଲାମାନଙ୍କ ଟିକାକରଣ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ଆସନ୍ତା ମାସରୁ ପିଲାଙ୍କ ପାଇଁ ଟିକା ପରୀକ୍ଷଣ କରିବ ସିରମ ଇନଷ୍ଟିଚ୍ୟୁଟ୍ । କୋଭାଭାକ୍ସ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ଆସନ୍ତା ମାସରୁ କରାଯିବ । ମୋଟ୍ ୯୨୦ ପିଲାଙ୍କ ଉପରେ ପରୀକ୍ଷଣ ପାଇଁ ଯୋଜନା ରହିଛି । ୧୨ରୁ ୧୭ ବର୍ଷ ବୟସର ୪୬୦ ପିଲା ଓ ୨ରୁ ୧୧ ବର୍ଷ ବୟସର ୪୬୦ ପିଲାଙ୍କ ଉପରେ ପରୀକ୍ଷଣ କରାଯିବାର ଅଛି । ଆମେରିକାର ବାୟୋଟେକ୍ନୋଲୋଜି ଫାର୍ମ ପିଲାଙ୍କ ପାଇଁ ନୋଭାଭାକ୍ସ ନାମରେ ଟିକା ତିଆରି କରିଛି । ଏହାକୁ ଭାରତରେ କୋଭାଭାକ୍ସ ନାମରେ ବ୍ରାଣ୍ଡିଂ କରାଯାଉଛି । ମୋଟ୍ ୧୦ଟି ଜାଗାରେ ଏହି ପରୀକ୍ଷଣ କରାଯିବାର ଅଛି । ଚଳିତବର୍ଷ ଶେଷ ସୁଦ୍ଧା ପିଲାଙ୍କ ପାଇଁ ଟିକା ବଜାରକୁ ଛାଡ଼ିବାକୁ ଯୋଜନା ରଖିଛି ସିରମ ଇନଷ୍ଟିଚ୍ୟୁଟ୍ । ତେବେ ପିଲାଙ୍କ ପାଇଁ ପରୀକ୍ଷଣ କରାଯିବାରେ କୋଭାଭାକ୍ସ ପ୍ରଥମ ଟିକା ନୁହେଁ । ପୂର୍ବରୁ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ମଧ୍ୟ ପିଲାଙ୍କ ପାଇଁ ଟିକା ଉପରେ କାମ କରୁଛି । ୧୨ରୁ ୧୮ ବର୍ଷର ପିଲାଙ୍କ ପାଇଁ କୋଭାକସିନ ଟିକାର ପରୀକ୍ଷଣ କରୁଛି ଭାରତ ବାୟୋଟେକ । ଏହାସହ ପିଲାଙ୍କ ପାଇଁ ନାକରେ ପକାଇ ହେଲା ଭଳି ଟିକା ଉପରେ କାମ କରୁଛି କମ୍ପାନୀ । ଅହମଦାବାଦସ୍ଥିତ ଜାଇଡସ୍ କାଡିଲା ୧୨ରୁ ୧୮ ବର୍ଷର ପିଲାଙ୍କ ପାଇଁ ଏକ ଟିକାର ପରୀକ୍ଷଣ କରୁଛି । ଏହି ଟିକାର ନାଁ ରହିଛି ଜାଇକୋ-ଡି । ସେପଟେ ଆମେରିକାରେ ଫାଇଜରର ଟିକାକୁ ୧୨ ବର୍ଷ ପର୍ୟ୍ୟନ୍ତ ପିଲାଙ୍କ ପାଇଁ ବ୍ୟବହାର ଲାଗି ଅନୁମତି ମିଳିଛି ।
Powered by Froala Editor