ରଥଯାତ୍ରା ନୀତି ନିର୍ଘଣ୍ଟ : ସକାଳ ୮.୩୦ ରୁ ପହଣ୍ଡି, ୩ଟାରୁ ରଥଟଣା
ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ଆୟୋଜିତ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆସନ୍ତା ୨୪ ତାରିଖରେ ହେଉଥିବା ସ୍ନାନଯାତ୍ରାରେ ପହଣ୍ତି ରାତି ଗୋଟାଏରୁ ଚାରିଟା ମଧ୍ୟରେ ଅନୁଷ୍ଠିତ ହେବ । ସ୍ନାନ ପୂର୍ଣ୍ଣିମା ଦିନ ୧୧ଟାରୁ ୧୨ ଭିତରେ ସମ୍ପନ୍ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ସ୍ନାନ ପୂର୍ଣ୍ଣିମାରେ ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି ହେବ।
ଜୁଲାଇ ୧୨ ତାରିଖ ଦିନ ରଥଯାତ୍ରା ହେବ। ଶ୍ରୀ ଗୁଣ୍ଡିଚା ଦିନ ପହଣ୍ଡି ସକାଳ ୮.୩୦ ରୁ ଆରମ୍ଭ ହେବ। ଗଜପତି ମହାରାଜ ଅପରାହ୍ଣ ୨ଟାରେ ଛେରା ପହଁରା କରିବେ। ଏହା ପରେ ଦ୍ୱିପହର ୩ଟାରୁ ରଥ ଟଣା କାର୍ଯ୍ୟକ୍ରମ ହେବ। ସେହିପରି ବାହୁଡ଼ା ଦିନ ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ପର୍ଯ୍ୟନ୍ତ ପହଣ୍ଡି ହେବ ଏବଂ ଅପରାହ୍ଣ ୪ଟାରୁ ରଥ ଟଣା ହେବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି।
ରଥଯାତ୍ରା ନୀତି ନିର୍ଘଣ୍ଟ ନେଇ ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ରବିବାର ଛତିଶା ନିଯୋଗ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି । ବିନା ଭକ୍ତରେ ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରାରେ ସମସ୍ତ ସେବାୟତଙ୍କର ଟିକାକରଣ ଓ RT-PCR କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।
ସେହିପରି ସୁନାବେଶ ପାଇଁ ମଧ୍ୟ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ଅପରାହ୍ଣ ୪ଟାରୁ ୫.୩୦ ଯାଏ ସୁନା ବେଶ ହେବ। ରାତି ୮ଟା ସୁଦ୍ଧା ଅଧରପଣା ନୀତି ଶେଷ ହେବ। ନୀଳାଦ୍ରିବିଜେ ପହଣ୍ଡି ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ରାତି ୧୦ରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଛତିଶା ନିଯୋଗର ଏହି ଭର୍ଚୁଆଲ ବୈଠକରେ ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାପାଳ, ଏସପି, ସମସ୍ତ ନିଯୋଗର କର୍ମକର୍ତ୍ତା ଏହି ଆଲୋଚନାରେ ସାମିଲ ହୋଇଥିଲେ।
Powered by Froala Editor