ଓଡ଼ିଶା ବିଜେପିର ଚାର୍ଜସିଟର ରାଜ୍ ଖୋଲିଦେଲେ ଲେଖାଶ୍ରୀ ସାମନ୍ତସିଂହାର
ଭୁବନେଶ୍ବର: ଓଡ଼ିଶା ବିଜେପିର ଚାର୍ଜସିଟକୁ ଲେଖାଶ୍ରୀଙ୍କ ଚାର୍ଜ । ବିଜେପିର ମିଛ ଓ ମନ୍ଦ ଉଦ୍ଦେଶ୍ୟ ଆଧାରିତ ଚାର୍ଜସିଟ ରାଜ୍ ଖୋଲିଦେଲେ ବିଜେଡିର ବାଲେଶ୍ବର ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର। ବିଜେପିର ଶୀର୍ଷ ନେତୃତ୍ବଙ୍କୁ ଟାର୍ଗେଟ ସହ ନିର୍ବାଚନ ଆସିଲେ ଦଳ ଏମିତି ବିନା ପ୍ରମାଣ, ମନ୍ଦ ଉଦ୍ଦେଶ୍ୟ, ଭିତ୍ତିହୀନ ଚାର୍ଜସିଟ ତିଆରି କରେ ବୋଲି ଲେଖାଶ୍ରୀ କହିଛନ୍ତି।
ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶରେ ବିଜେଡି ବିରୋଧରେ ମିଛ କହି ଅପପ୍ରଚାର କରିବା ରାଜ୍ୟ ବିଜେପିର ଫଣ୍ଡା । ମିଛକୁ ଆଧାର କରି ଚାର୍ଜସିଟ ତିଆରି କରୁଥିବା ଓଡ଼ିଶାର ବିଜେପି ନେତାଙ୍କ ବିରୋଧରେ ଚାର୍ଜସିଟ କଲେ ତାହା ଏକ ଗ୍ରନ୍ଥ ହେବ । ଲେଖାଶ୍ରୀ କହିଛନ୍ତି, ଚାଷୀ ପ୍ରସଙ୍ଗରେ ଓଡ଼ିଶା ଏକମାତ୍ର ରାଜ୍ୟ ଯିଏ ଚାଷୀଙ୍କ ଆୟ ଦୁଇଗୁଣା କରିଛି । ଏଥିପାଇଁ କେନ୍ଦ୍ର ଓଡ଼ିଶାକୁ ସମ୍ମାନିତ କରିଛି । ହେଲେ କିଛି ନଜାଣି ଓଡ଼ିଶା ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛି ।
ଅନ୍ୟପଟେ ଓଡ଼ିଶାରେ ବେକାରୀ ହାର ସବୁଠୁ କମ୍ । କେନ୍ଦ୍ର ସରକାରଙ୍କ ଅନୁଷ୍ଠାନ ହିଁ ସାର୍ଟିଫିକେଟ ଦେଇଛି । ହେଲେ ଓଡ଼ିଶା ବିଜେପି କିନ୍ତୁ ଅଲଗା କଥା କହୁଛି । ମହିଳାଙ୍କ କ୍ଷେତ୍ରରେ ଓଡ଼ିଶା ବିଜେପି ଆଣିଥିବା ଅଭିଯୋଗ ଏକଦମ ଭିତ୍ତିହୀନ । ବିଜେପି ଶାସିତ ରାଜ୍ୟରେ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓଡ଼ିଶା ବିଜେପି ସମ୍ପୂର୍ଣ୍ଣ ଭାବେ ଭୁଲିଯାଉଛି । ଓଡ଼ିଶା ବିଜେପିର ସଭାପତି ମନମୋହନ ସାମଲ ନିଜେ ମହିଳା ନିର୍ୟାତନା ମାମଲାରେ ଧରାପଡ଼ିଛନ୍ତି। ନୂଆଦିଲ୍ଲୀର ଓଡ଼ିଶା ନିବାସରେ ୨୦୦୮ ମସିହାରେ ଧରାପଡ଼ିଥିବା ପରେ ତାଙ୍କୁ ମନ୍ତ୍ରୀ ପଦରୁ ବାହାର କରାଯାଇଥିଲା।
ରାଜ୍ୟ-ରାଜ୍ୟ ମଧ୍ୟରେ ବିଜୁଳି ଆବଣ୍ଟନ ନେଇ କେନ୍ଦ୍ର ନିଷ୍ପତ୍ତି ନିଏ । ହେଲେ ଓଡ଼ିଶାକୁ ଟାର୍ଗେଟ କରିବା ଓଡ଼ିଶା ବିଜେପିର ନିର୍ବୋଦ୍ଧତା ଓ ହୀନ ରାଜନୀତି । ସମ୍ବେଦନଶୀଳ ମାମଲାରେ ଓଡ଼ିଶା ବିଜେପି ହୀନ ରାଜନୀତି କରିଥାଏ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବେଦନଶୀଳ ମାମଲାରେ ନିଜର ରାଜନୈତିକ ସ୍ବାର୍ଥ ଦେଖନ୍ତି । ଏଣୁ ମହିଳା ଓ ଶିଶୁଙ୍କ ଉପରେ କହିବାକୁ ତାଙ୍କର ନୈତିକ ଅଧିକାର ବି ନାହିଁ । ଅନ୍ୟପଟେ ବିଜେପି ମୁଖପାତ୍ରଙ୍କୁ କିପରି ଚାପ ପକାଇ ବିଜେଡି ବିରୋଧରେ କୁହାଯାଏ ସେକଥା ବି କହିଛନ୍ତି ଲେଖାଶ୍ରୀ । ଇଚ୍ଛା ନଥିଲେ ବି ବିଜେଡି ଓ ବିଜେଡିର ନେତାଙ୍କ ବିରୋଧରେ କହିବାକୁ ବିଜେପି ମୁଖପାତ୍ରଙ୍କୁ ବାଧ୍ୟ କରାଯାଏ । ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ହାରିବା ଭୟରେ ମିଛର ଚାର୍ଜସିଟ ତିଆରି କରି ବିଜେପି ନାଟକ କରୁଛି ବୋଲି ଲେଖାଶ୍ରୀ କହିଛନ୍ତି ।
Powered by Froala Editor