କଂଗ୍ରେସରେ ବିବାଦ ଘନଉଛି: ଉପମୁଖ୍ୟମନ୍ତ୍ରୀ ପଦ ବି ଗ୍ରହଣ କଲେନି ସିଦ୍ଧୁ

ଆଗକୁ ବିଧାନସଭା ନିର୍ବାଚନ। ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ନବଜୋତ ସିଂହ ସିଦ୍ଧୁଙ୍କ ଭିତରେ ଥିବା ଅନ୍ତଃକନ୍ଦଳ ଉଗ୍ର ରୂପ ଧାରଣ କରିଛି। ଦୁଇ ନେତାଙ୍କ କଳି ମେଣ୍ଟାଇବାକୁ କଂଗ୍ରେସ ଟିମ୍ ପଠାଇଥିବା ବେଳେ କୌଣସି ସମାଧାନର ବାଟ ବାହାରିପାରି ନାହିଁ। ବିବାଦ ସମାଧାନ କରିବାକୁ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିଲେ ହେଁ ସେ ଏହାକୁ ରୋକଠୋକ ମନାକରି ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଅଧୀନରେ କାମ କରିବାକୁ ରାଜି ନଥିବା କହିଛନ୍ତି।
ପଞ୍ଜାବ କଂଗ୍ରେସର କଳି ମେଣ୍ଟାଇବା ପାଇଁ ଏକ ୩ ଜଣିଆ କମିଟି ଗଠନ କରିଥିଲା କଂଗ୍ରେସ। ଏଥିରେ ଥିଲେ ମଲ୍ଲିକାର୍ଜୁନ ଖଡ଼ଗେ, ହରିଶ ରାୱତ ଓ ଜୟପ୍ରକାଶ ଅଗ୍ରୱାଲ। ଏହି କମିଟି ସଦସ୍ୟଙ୍କୁ ଭେଟି ନିଜର ଅସନ୍ତୋଷ ଜାହିର କରିଛନ୍ତି ସିଦ୍ଧୁ। କନ୍ଦଳର ତୁରନ୍ତ ସମାଧାନ ସହିତ ଅମରିନ୍ଦରଙ୍କ ଅଧିନରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିଲେ ବି ସେ କାମ କରିବେ ନାହିଁ ବୋଲି ସିଦ୍ଧୁ କହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।
ସିଦ୍ଧୁ କଂଗ୍ରେସ କମିଟି ପାଖରେ ଅଭିଯୋଗ କରିଛନ୍ତି ଯେ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଦୌ ଯୋଗ୍ୟ ନୁହନ୍ତି। ତା ସହିତ କଂଗ୍ରେସ ବିଧାୟକ, ଦଳୀୟ ସଦସ୍ୟ ଓ ନେତାମାନଙ୍କୁ ଅଣଦେଖା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।
Powered by Froala Editor