ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ରଜପର୍ବ ପାଳନ କଲେ
ଭୁବନେଶ୍ୱର - ଆଜି ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ନିରାଡମ୍ବରରେ, ସାଂକେତିକ ଭାବେ କୋଭିଡ ଆଇନ ଅନୁସାରେ ରଜଉତ୍ସବ ପାଳନ କରିଛନ୍ତି । ସେ ପ୍ରଥମେ ଭୁବନେଶ୍ୱର ସ୍ଥିତ ପାନ୍ଥନିବାସ ଏବଂ ପରେ ଭୁବନେଶ୍ୱର ଉପକଣ୍ଠ ସ୍ଥିତ ମଦନପୁର ଠାରେ କିଛି ଛୋଟ ପିଲାଙ୍କ ସହ ରଜପର୍ବ ପାଳନ କରିଥିଲେ । ନିଜେ ଦୋଳି ଖେଳିବା ସହ ଛୋଟ ପିଲାମାନଙ୍କୁ ଦୋଳି ଖେଳାଇଥିଲେ । ସେ କହିଥିଲେ କରୋନାର ଯନ୍ତ୍ରଣା ଭିତରେ ପବିତ୍ର ରଜ ପର୍ବକୁ କେବଳ ସାଂକେତିକ ଭାବରେ ପାଳନ କରାଯାଉଛି । ଯେଉଁଠି ୫୦ଟି ଦୋଳି ଲାଗିବା କଥା ସେଥି ଗୋଟିଏ ଦୋଳି ଲଗାଇ ପର୍ବଟିକୁ କେବଳ ପାଳନ କରାଯାଉଛି । ଶ୍ରୀ ରାଉତରାୟ କହିଥିଲେ ରଜ ତିନିଦିନିକୁ ଓଡ଼ିଶାର ପୁରପଲ୍ଲୀର ସାଧାରଣ ଲୋକ ଯେଉଁ ଯାକଜମକରେ ପାଳନ କରିଥାନ୍ତେ ସେଥିରେ କରୋନା ବାଧକ ସାଜିଛି । ସେ କହିଥିଲେ ଏହି ପର୍ବର ପ୍ରଥମ ଦିନ ଶୁଖିଲା ଖଇ, ଉଖୁଡ଼ା, ମୁଆଁ ଦ୍ୱିତୀୟ ଦିନ ପିଠାପଣା ଏବଂ ତୃତୀୟ ଦିନ ଆମିଷ ଭୋଜନ କରାଯାଏ । କରୋନା ମହାମାରୀ ଥିବାରୁ ଲୋକେ ଏ ପର୍ବକୁ ଅନ୍ତରରେ ଏବଂ ହୃଦୟରେ ମନେପକେଇ ପାଳନ କରନ୍ତୁ । ଏହି କାର୍ଯ୍ୟକ୍ରମରେ ଛେନୁ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, ଗୀତାଞ୍ଜଳି ବେହେରା, ବ୍ରଜବନ୍ଧୁ ବଳିଆରସିଂ, ସୌମ୍ୟରଞ୍ଜନ ପଟ୍ଟନାୟକ, ତାପସ ବିଦ୍ୟାଧର, ବିକ୍ରମ ପଣ୍ଡା, ବିମଳ ବେହେରା ଓ ବିକ୍ରମ ସୁନ୍ଦରରାୟ ପ୍ରମଖୁ ଅଂଶଗ୍ରହଣ କରିଥିଲେ ।
Powered by Froala Editor