ବାରିପଦାରେ ପହଞ୍ଚିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ
ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବାରିପଦାରେ ପହଞ୍ଚିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ରାଷ୍ଟ୍ରପତି ମୁର୍ମୁ ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ବାରିପଦା ପୁଲିସ୍ ପଡ଼ିଆ ହେଲିପ୍ୟାଡରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ ରଘୁବର ଦାସ , କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ପ୍ରମୁଖ ତାଙ୍କୁ ପାଛୋଟି ନେଇଥିଲେ। ଏହାପରେ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ସାନ୍ତାଳୀ ଲେଖକ ସଂଘ ଅଧିବେଶନ ସ୍ଥଳକୁ ନିଆଯାଇଛି।
ରାଷ୍ଟ୍ରପତି ସେଠାରେ ପ୍ରଥମେ ବାରିପଦାରେ ୩୬ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବେ। ଏହାପରେ ସର୍କିଟ୍ ହାଉସରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ପରେ କୁଳିଅଣାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଲୋକର୍ପଣ କରିବେ।
ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜ ଜିଲ୍ଲାକୁ ଦ୍ୱିତୀୟ ଥର ପାଇଁ ଆସିଛନ୍ତି ଦ୍ରୌପଦୀ ମୁର୍ମୁ। ମାଟିର ଝିଅକୁ ସ୍ୱାଗତ କରିବା ପାଇଁ ସାଧବ ବୋହୁ ପରି ସଜେଇ ହୋଇଛି ବାରିପଦା ଓ ରାଇରଙ୍ଗପୁର। ଆସନ୍ତାକାଲି ବାଦାମପାହାଡ଼ରୁ ରାଇରଙ୍ଗପୁର ଟ୍ରେନ୍ ଯାତ୍ରାବେଳେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ ରାଷ୍ଟ୍ରପତି। ତାଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ ପ୍ରମୁଖ ସାମିଲ ହେବା କାର୍ୟ୍ୟକ୍ରମ ରହିଛି।
Powered by Froala Editor