ହରଡରେ ହାତ ମାରି ହେଉନି, ଚାହିଦା ପୂରଣ କରିବ ମସୁର
![ହରଡରେ ହାତ ମାରି ହେଉନି, ଚାହିଦା ପୂରଣ କରିବ ମସୁର](https://odishanewslens.com/news_gallery/24509_1695066986.jpg)
ତେଲ, ଅଟା, ଚାଉଳ ପରେ ଏବେ ଡାଲି ଦର ବୃଦ୍ଧିରେ ଖାଉଟି ହତାଶ। କାରଣ ଖୁଚୁରା ବଜାରରେ ଏବେ ସବୁ ଡାଲି ଦର ବଢ଼ିଯାଇଛି। ବର୍ଷକ ପୂର୍ବେ କିଲୋ ପିଛା ୧୩୦ ଟଙ୍କାରେ ବିକ୍ରି ହେଉଥିବା ହରଡ ଡାଲି ଏବେ ୧୭୦ ଟଙ୍କା ଛୁଇଁଛି। ବର୍ଷକ ମଧ୍ୟରେ ହରଡ ଡାଲି ଦର ୩୭ ପ୍ରତିଶତ ବୃଦ୍ଧି ଘଟିଛି। ଆଗକୁ କିଲୋ ପିଛା ୨୦୦ ଟଙ୍କା ଛୁଇଁଁବ ବୋଲି ବିଶେଷଜ୍ଞମାନେ ଏବେଠାରୁ ଆକଳନ କଲେଣି।
ଅପରପକ୍ଷେ ଏଥର ଦେଶର ଅଧିକାଂଶ ରାଜ୍ୟରେ ବର୍ଷା ପରିମାଣ ୧୫ ରୁ ୨୫ ପ୍ରତିଶତ ହ୍ରାସ ପାଇଛି। ଏହାର ପ୍ରଭାବରେ ଡାଲି ଫସଲ ଅମଳ ହ୍ରାସ ଘଟିବାର ସମ୍ଭାବନା ରହିଛି। ତେଣୁ ବଜାରରେ ଡାଲି ଦର ବୃଦ୍ଧି ଘଟିବା ଆଶଙ୍କା କରାଯାଉଛି। ପୂର୍ବରୁ ମରୁଡି ଯୋଗୁ ଘରୋଇ କ୍ଷେତ୍ରରେ ମୁଗ ଡାଲି ଉତ୍ପାଦନ ପ୍ରଭାବିତ ହୋଇଛି।
ଯଦି ଏହା ହୁଏ, ତେବେ ଆଗାମୀ ନିର୍ବାଚନ ଋତୁରେ ଡାଲି ଦର ବୃଦ୍ଧି ଭୋଟର ଓ ବିରୋଧୀଙ୍କ ପାଇଁ ଏକ ବଡ଼ ପ୍ରସଙ୍ଗ ହୋଇପାରେ। ତେଣୁ କେନ୍ଦ୍ର ସରକାରଙ୍କୁ ଏବେ ଡାଲି ଦର ବୃଦ୍ଧି ଚିନ୍ତା ଘାରିବାରେ ଲାଗିଛି। କେନ୍ଦ୍ର ସରକାର ଏବେ ଆମେରିକାରୁ ଶସ୍ତା ମସୁର ଡାଲି ଆମଦାନୀ କରି ଘରୋଇ ବଜାରରେ ଚାହିଦା ପୂରଣ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଆମେରିକାରୁ ଆସିବାକୁ ଥିବା ଶସ୍ତା ମସୁର ଡାଲି ଉପରୁ ଅତିରିକ୍ତ ଟିକସ ହଟାଇ ଦିଆଯାଇଛି।
Powered by Froala Editor