ରାଜ୍ୟ ନେତୃତ୍ୱଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର, କାହିଁକି ଜାଣନ୍ତୁ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆସ୍ଥା ଓ ଭରସା ପ୍ରକଟ କରି ରାଜ୍ୟର ନେତୃତ୍ୱ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ରର ଟିକାକରଣ ନୀତିକୁ ସମର୍ଥନ କରିବା ସହ କେନ୍ଦ୍ର ସରକାରଙ୍କୁ ସମସ୍ତ ରାଜ୍ୟକୁ ଟିକା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିବାରୁ ରାଜ୍ୟ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରାଉରକେଲାରେ ୧୦୦ ଶଯ୍ୟା ବିଶିଷ୍ଟ ‘ଇସ୍ପାତ୍ ନିଦାନ କେନ୍ଦ୍ର’ର ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଖୋଲା ବଜାରରେ ଟିକା ଉପଲବ୍ଧି ପାଇଁ ଗତ ଏପ୍ରିଲ ମାସ ୧୬ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । ଏହା ପରେ ଅନେକ ରାଜ୍ୟ ମଧ୍ୟ ଖୋଲା ବଜାରରେ ଟିକା ଉପଲବ୍ଧି ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ କରିଥିଲେ । ଭାରତ ସରକାର ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ମତାମତକୁ ସମ୍ମାନ ଦେଇ ଟିକାକରଣ ନୀତିର ବିକେନ୍ଦ୍ରୀକରଣ କଲେ । ପୁନଶ୍ଚ ବର୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି କେନ୍ଦ୍ରର ଟିକାକରଣ ନୀତିକୁ ସମର୍ଥନ କରିବା ସହ କେନ୍ଦ୍ର ସରକାରଙ୍କ ମାଧ୍ୟମରେ ଟିକାର ଉପଲବ୍ଧ କରାଯାଉ ବୋଲି ଅନୁରୋଧ କରିଛନ୍ତି । ଏହି ପ୍ରସ୍ତାବ ଉପରେ ମଧ୍ୟ ଭାରତ ସରକାର ବିଚାରବିମର୍ଷ କରୁଛନ୍ତି ।
ଭାରତ ସରକାରଙ୍କ ପକ୍ଷରୁ ସବୁ ରାଜ୍ୟକୁ ୨୩ କୋଟି ଟିକା ଯୋଗାଯାଇଥିବା ବେଳେ ବର୍ତମାନ ସୁଦ୍ଧା ଓଡ଼ିଶାକୁ ୮୫ ଲକ୍ଷ ୧୭ ହଜାର ୯୫୦ଟିକା ପ୍ରଦାନ କରାଯାଇଛି । ଭାରତର ଜନସଂଖ୍ୟା ଆଧାରରେ ଓଡ଼ିଶାର ଜନସଂଖ୍ୟା ୩.୧ ପ୍ରତିଶତ ଥିବା ବେଳେ ଓଡ଼ିଶାକୁ ଟିକା ଉତ୍ପାଦନର ୩.୭୫ ପ୍ରତିଶତ ଉପଲବ୍ଧ ହୋଇଛି । ପ୍ରଧାନମନ୍ତ୍ରୀ ସବକା ସାଥ୍, ସବକା ବିକାଶ, ଏବଂ ସବକା ବିଶ୍ୱାସ ମନ୍ତ୍ରରେ ରେ ଧନୀ, ଗରିବ, ଉଚ୍ଚ, ନୀଚ୍ଚରେ ଭେଦଭାବ ନରଖି ଜନସଂଖ୍ୟା ଆଧାରରେ ରାଜ୍ୟ ମାନଙ୍କୁ ଟିକା ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି ।
ଏତଦବ୍ୟତିତ ଟିକାକରଣ ଉପରେ ମତପ୍ରକାଶ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନ ସମୟରେ ଟିକା ପ୍ରତି ସଚେତନତା ବଢିଛି । ଆଜି ୫୦ ପ୍ରତିଶତ ଟିକା ଭାରତ ସରକାର ରାଜ୍ୟ ଗୁଡ଼ିକୁ ମାଗଣାରେ ଯୋଗାଉଥିବା ବେଳେ ୨୫ ପ୍ରତିଶତ ଟିକା ରାଜ୍ୟ ସରକାର ଏବଂ୨୫ ପ୍ରତିଶତ ଟିକା ଶିଳ୍ପ ଜଗତ ସେମାନଙ୍କର କର୍ମଚାରୀ ଏବଂ ପରିବାର ସଦସ୍ୟଙ୍କୁ ଟିକା ଲଗାଇବାର ନିଷ୍ପତି ନେଇଛନ୍ତି ।
Powered by Froala Editor