ସ୍କୁଲ ଜମି ପାଇଁ ଆଇଏଏସ ଅଫିସର ସଂଘର ଆବେଦନକୁ ଖାରଜ କଲେ ସରକାର
ଭୁବନେଶ୍ୱର: ୟୁନିଟ-୬ ବାଳିକା ହାଇସ୍କୁଲ ଜମିରୁ କିଛି ଅଂଶ ଆଇଏଏସ ଅଫିସର ସଂଘକୁ ଦିଆଯିବା ପ୍ରସଙ୍ଗ ଭିନ୍ନ ମୋଡ଼ ନେଇଛି । ଏ ନେଇ ବିଭିନ୍ନ ମହଲରୁ ପ୍ରତିବାଦ ହେଲା ପରେ ସଂଘର ଆବେଦନକୁ ସରକାର ଖାରଜ କରିଦେଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ୟୁନିଟ-୬ ରେ ସରକାରୀ ହାଇସ୍କୁଲ ପାଇଁ ଦୁଇଟି ପ୍ଲଟ ଉପରେ ମୋଟ ୭,୬୭୫ ଏକର ଜାଗା ରହିଛି । ଏଥିରୁ ଗୋଟିଏ ପ୍ଲଟରେ ଥିବା ୨.୪୫୮ ଏକର ଜାଗା ମଧ୍ୟରୁ ଆଇଏଏସ ଅଫିସର ସଂଘକୁ ଟ୍ରାଞ୍ଜିଟ ହାଉସ ପାଇଁ ୧.୫ ଏକର ଜାଗା ଦିଆଯିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକି୍ରୟା ଚାଲିଥିଲା । ଏହି ଜାଗାଟି ସରକାରୀ ବାଳିକା ହାଇସ୍କୁଲର ଖେଳ ପଡ଼ିଆ ପାଇଁ ଉଦ୍ଧିଷ୍ଟ ରହିଛି । ସଂଘକୁ ବିଧିବଦ୍ଧ ଭାବେ ଜମି ଆବଣ୍ଟନ ହୋଇ ନଥିଲେ ମଧ୍ୟ ବିଡିଏ ପକ୍ଷରୁ ସେହି ଜମିରେ ପାଚେରି ନିର୍ମାଣ ଆରମ୍ଭ କରାଯାଇଥିଲା । ଭୁବନେଶ୍ୱରରେ ଏତେ ସରକାରୀ ଜମି ଥିବା ବେଳେ କାହିଁକି ଗୋଟିଏ ସ୍କୁଲର ଜମି ଉପରେ ସଂଘର ଟ୍ରାଞ୍ଜିଟ ହାଉସ ନିର୍ମାଣ ପାଇଁ ସରକାର ଏତେ ଆଗ୍ରହ ପ୍ରକାଶ କରୁଛନ୍ତି, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବିଭିନ୍ନ ମହଲରୁ ତାହାକୁ ବିରୋଧ କରାଯାଇଥିଲା ।
Powered by Froala Editor