ଆସିଲା ଚନ୍ଦ୍ରପୃଷ୍ଠର ରଙ୍ଗୀନ ଫଟୋ
ସ୍ଲିପ୍ ମୋଡରେ ଯିବା ପୂର୍ବରୁ ଚନ୍ଦ୍ରପୃଷ୍ଠର ଏକ ୩-ଡି ଫଟୋ ପଠାଇଛି ପ୍ରଜ୍ଞାନ ରୋଭର୍। ଏହି ଫଟୋକୁ ଇସ୍ରୋ ପକ୍ଷରୁ ସେୟାର କରାଯାଇଛି । ଇସ୍ରୋ ପକ୍ଷରୁ କୁହାଯାଇଛି, ଏହାକୁ ଦେଖିବାର ପ୍ରକୃତ ମଜା ଥ୍ରିଡି ଚଷମା ପିନ୍ଧି ଦେଖିବାରେ ଅଛି । ରୋଭର ପ୍ରଜ୍ଞାନ ଏହି ଫଟୋ କିଛିଦିନ ପୂର୍ବେ ଲ୍ୟାଣ୍ଡର ବିକ୍ରମଠାରୁ ୧୫ ମିଟର ଦୂରରୁ ଉଠାଇଥିଲା ।
ଫଟୋରେ ବିକ୍ରମ ଲାଣ୍ଡର ଓ ଚନ୍ଦ୍ରପୃଷ୍ଠର କିଛି ଅଂଶ ଦେଖିବାକୁ ମିଳୁଛି । ପ୍ରଜ୍ଞାନ ରୋଭରରେ ନାଭକ୍ୟାମ ଷ୍ଟେରିଓ ଇମେଜ୍ ବ୍ୟବହାର କରି ଏହି ଫଟୋ ଉଠାଯାଇଛି । ଉଭୟ ବାମପଟ ଓ ଡାହାଣ ପଟ କ୍ୟାମେରାରେ ଉଠାଯାଇଥିବା ଫଟୋକୁ ମିଶାଇ ଏହି ଥ୍ରୀଡି ଫଟୋ ପ୍ରସ୍ତୁତ କରାଯାଇଛି । ଏହି କାରଣରୁ ବିକ୍ରମ ଲ୍ୟାଣ୍ଡର ଥ୍ରିଡିରେ ଦିଶିବ । ଅର୍ଥାତ ଆପଣଙ୍କୁ ଲାଗିବ ଆପଣ ଚନ୍ଦ୍ର ଉପରେ ଛିଡ଼ା ହୋଇ ବିକ୍ରମକୁ ଦେଖୁଛନ୍ତି ।
ଭାରତର ଚନ୍ଦ୍ରଯାନ-୩ ମିଶନର ବିକ୍ରମ ଲ୍ୟାଣ୍ଡର ସ୍ଲିପ୍ ମୋଡ ( ସୁପ୍ତାବସ୍ଥା) କୁ ଚାଲିଯାଇଛି ବୋଲି ସୋମବାର ଇସ୍ରୋ ଘୋଷଣା କରିଥିଲା । ସେପ୍ଟେମ୍ବର ୨୨ ବେଳକୁ ଏହା ସକ୍ରିୟ ହେବା ଆଶା କରାଯାଉଛି ବୋଲି ଇସ୍ରୋ କହିଛି।
Powered by Froala Editor