ରୋଗ ଲୁଚାଇଥିବାରୁ ମୃତୁ୍ୟ ସଂଖ୍ୟା ବଢୁଛି
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିଲେ ହେଁ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ସଂଖ୍ୟା ଦିନକୁ ଦିନକୁ ବୃଦ୍ଧି ପାଉଛି । ସତେ ଯେମିତି କରୋନା ମୃତୁ୍ୟ ଗାଡ଼ିର ବ୍ରେକ ଫେଲ ହୋଇଯାଇଛି । ମୃତୁ୍ୟ ସଂଖ୍ୟା ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି । ତେବେ ପ୍ରଥମରୁ ଅବହେଳା କରି ରୋଗ ଲୁଚାଇଥିବାରୁ ରାଜ୍ୟରେ ମୃତୁ୍ୟ ସଂଖ୍ୟା ବଢୁଛି ବୋଲି ଆଇଏଲଏସ ନିଦେ୍ର୍ଧଶ ଅଜୟ ପରିଡ଼ା କହିଛନ୍ତି । ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେବା ଅବସରରେ ଶ୍ରୀ ପରିଡ଼ା ଏହା କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ,ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବର୍ତ୍ତମାନ ସମସ୍ତେ ପ୍ରସ୍ତୁତ ହେଉଛନ୍ତି । ତୃତୀୟ ଲହର ନବ୍ୟାପିବା ପାଇଁ ୩ଟି ଦିଗ ଉପରେ ନିର୍ଭର କରେ । ସେଗୁଡ଼ିକ ହେଲା କୋଭିଡ ନିୟମ ମାନିବା, ଟିକାକରଣ ଓ ଭାଇରସ ପରିବର୍ତ୍ତନ ରୂପ । ବର୍ତ୍ତମାନ ଦେଶରେ ବି୧.୬୧୭.୨ ଭୂତାଣୁରେ ୬୦% ଲୋକ ସଂକ୍ରମିତ ହୋଇଛନ୍ତି । ଏବେ ସଂକ୍ରମଣ କମିବା ଆରମ୍ଭ ହୋଇଛି । ୧୦/୧୫ ଦିନରେ ସୁଧାର ଆସିବ ବୋଲି ଆଇଏଲଏସ ନିଦେ୍ର୍ଧଶ ଅଜୟ ପରିଡ଼ା କହିଛନ୍ତି ।
ପ୍ରକାଶ ଯେ, ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୪୨ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୭୩ କୁ ବୃଦ୍ଧି ପାଇଛି।
୧୮ଟି ଜିଲ୍ଲାରୁ ୪୨ ଜୀବନ ନେଇଛି ଘାତକ କରୋନ। ମୃତକଙ୍କ ମଧ୍ୟରୁ ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ୫ ଜଣ ହୋଇଥିବା ବେଳେ କଳାହାଣ୍ଡି ଓ କଟକ ଜିଲ୍ଲାରୁ ୪ ଜଣ ରହିଛନ୍ତି । ବୌଦ୍ଧ ଓ ଝାରସୁଗୁଡ଼ା, ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର , ଦେଓଗଡ଼, ଗଜପତି ଓ କେନ୍ଦ୍ରାପଡ଼ା ନବରଙ୍ଗପୁର ଓ ରାୟଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ବରଗଡ଼, ଭଦ୍ରକ, ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭ ଲକ୍ଷ ୯୦ ହଜାର ୯୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୮୫ ହଜାର ୪୨୩ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୭ ଲକ୍ଷ ୦୨ ହଜାର ୬୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନା ଯୋଗୁଁ ୨୮୭୩ ଜଣଙ୍କର ମୃତ୍ୟୁ ହୋଇଛି ।
Powered by Froala Editor