ପୁଣିଥରେ ସ୍ୱାଭାବିକ ହେଲା ରେଳ ଚଳାଚଳ

ଭୁବନେଶ୍ୱର : ବାତ୍ୟା ‘ୟାସ’କୁ ଦୃଷ୍ଟିରେ ରଖି ବାତିଲ ହୋଇଥିବା ସ୍ୱତନ୍ତ୍ର ଟ୍ରେନ ସେବା ଗୁରୁବାରଠାରୁ ପୁଣିଥରେ ସ୍ୱାଭାବିକ କରିବା ଦିଗରେ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବାତ୍ୟା ପରବର୍ତୀ ସ୍ଥିତିରେ ଉନ୍ନତି ଆସିବା ହେତୁ ଟ୍ରେନ୍ ଚଳାଚଳର ନିରାପତ୍ତା ସମୀକ୍ଷା କରାଯିବା ପରେ ଗତକାଲି ସନ୍ଧ୍ୟାଠାରୁ ଗୁଡସ ଟ୍ରେନ୍ ଚଳାଚଳ କରିଛି । ଗୁରୁବାରଠାରୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ । ବାତ୍ୟାକୁ ନଜରରେ ରଖି ରେଳପଥ ପକ୍ଷରୁ ଖଡ଼ଗପୁର-ବିଶାଖାପାଟଣା ରେଳ ସେକ୍ସନରେ ୧୨୪ଟି ଟ୍ରେନକୁ ବାତିଲ କରାଯାଇଥିଲା । ଟ୍ରାକ୍ ଓ ବ୍ରିଜ୍ ଇଞ୍ଜିନିୟର୍ସ, ଓଭର ହେଡ୍ ଇଲେକ୍ଟ୍ରିସିଟି ଇଞ୍ଜିନିୟର୍ସ ସମେତ ରେଲୱେ ଟିମ ଭୁବନେଶ୍ୱର ଓ ଖଡ଼ଗପୁର ମଧ୍ୟରେ କ୍ଷୟକ୍ଷତିର ଅନୁଧ୍ୟାନ କରୁଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଆହୁରି କୁହାଯାଇଛି ଯେ ସମ୍ବେଦନଶୀଳ ଅଞ୍ଚଳରେ ଟ୍ରାକ, ବ୍ରିଜଗୁଡ଼ିକର ପାଟ୍ରୋଲିଂ ଏବଂ ପୁନଃସ୍ଥାପନା ପାଇଁ ଯୋଜନା କରାଯାଇଛି । ଟ୍ରେନ୍ ସେବାଗୁଡ଼ିକ ଯେପରି ଶୀଘ୍ର ପୁନରୁଦ୍ଧାର ହୋଇପାରିବ ସେଦିଗରେ କାର୍ଯ୍ୟ ଚାଲିଛି । ପାରାଦୀପ ଓ ଧାମରା ବନ୍ଦର ଷ୍ଟେସନରେ ଯନ୍ତ୍ରପାତି ଲୋଡିଂ ଓ ଅନଲୋଡିଂ, ଟ୍ରାକର ଯାଞ୍ଚ ଶେଷ ପରେ ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ପୁନଃ ଆରମ୍ଭ ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ଯୋଗୁଁ ଟ୍ରାକର ଜଳମଗ୍ନ ପରି କ୍ଷୟକ୍ଷତିର ଯାଞ୍ଚ କରାଯାଉଛି । ଟାୱାର ୱାଗନ୍ ମାଧ୍ୟମରେ ଯାଞ୍ଚ ଓ ଛୋଟ ମରାମତି କାର୍ଯ୍ୟ ଚାଲିଛି । ସିଗନାଲିଂ ସିଷ୍ଟମ୍ ଓ ପ୍ୟାନେଲ୍ ୱାର୍କିଂର ଯାଞ୍ଚ ହେଉଛି । ସମ୍ପୃକ୍ତ ବିଭାଗଗୁଡିକରୁ ଟ୍ରାକ୍ ଓ ଓଭର ହେଡ୍ ଇଲେକ୍ଟ୍ରିଫିକେସନ ଫିଟନେସ୍ ସଫା କରାଯାଉଥିବା ନେଇ ସୂଚନା ଦିଆଯାଇଛି ।
Powered by Froala Editor