ଫେରିପାରେ ‘ଏଲ୍ ନିନୋ’ : ରେକର୍ଡ କରିବ ହିଟୱେଭ

‘ଏଲ୍ ନିନୋ’ ଫେରୁଥିବାରୁ ୨୦୨୩, ୨୦୨୪ରେ ବିଶ୍ବର ସ୍ବାଭାବିକ ତାପମାତ୍ରାରେ ନୂଆ ରେକର୍ଡ ସୃଷ୍ଟି ହୋଇପାରେ। ‘ଜଳବାୟୁ ମଡେଲ୍’ ଅନୁସାରେ, ପ୍ରଶାନ୍ତ ମହାସାଗରରେ ‘ଲା ନିନା’ ପାଣିପାଗ ଢାଞ୍ଚା ୩ ବର୍ଷ ରହିବା ପରେ ଏବେ ସେଠାକୁ ‘ଏଲ୍ ନିନୋ’ ଫେରୁଛି। ତେଣୁ, ବିଶ୍ବ ତାପମାତ୍ରା ବୃଦ୍ଧି ପାଇବ।
‘ୟୁରୋପୀୟ ୟୁନିୟନ୍’ର ‘କୋପର୍ନିକସ୍ କ୍ଲାଇମେଟ୍ ଚେଞ୍ଜ୍ ସର୍ଭିସ୍’ର ନିର୍ଦେଶକ କାର୍ଲୋ ବ୍ୟୁଓନ୍ଟେମ୍ପୋ କହିଛନ୍ତି, ସାଧାରଣତଃ, ବିଶ୍ବସ୍ତରରେ ରେକର୍ଡ ଭାଙ୍ଗିବା ଭଳି ତାପମାତ୍ରା ସହିତ ‘ଏଲ୍ ନିନୋ’ ସମ୍ପୃକ୍ତ ଥାଏ। କିନ୍ତୁ, ‘ଏଲ୍ ନିନୋ’ର ପ୍ରଭାବ ୨୦୨୩ କିଂବା ୨୦୨୪ରେ ଅନୁଭୂତ ହେବ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହାର ପ୍ରଭାବ ପଡ଼ିବା ପ୍ରାୟ ୫୦%ରୁ ଅଧିକ ସୁନିଶ୍ଚିତ।
ପାଣିପାଗ ସଂଗଠନ(WMO) ୨୦୨୨ ବର୍ଷ ପାଇଁ ପ୍ରସ୍ତୁତ କରିଥିବା ରିପୋର୍ଟରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ର କେମିତି ପ୍ରଭାବିତ ହୋଇଛନ୍ତି, ତା’ର ଚିତ୍ର ଉପସ୍ଥାପନ କରିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍ତାପ ସୃଷ୍ଟି କରୁଥିବା ଗ୍ରୀନ୍ ହାଉସ୍ ଗ୍ୟାସର ରେକର୍ଡ ସ୍ତର ସମଗ୍ର ବିଶ୍ୱରେ ମରୁଡ଼ି, ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ବା ହିଟ୍ୱେଭ ସ୍ଥିତିକୁ ବୃଦ୍ଧି କରିଛି। ୨୦୨୨ ବର୍ଷରେ ହିଟୱେଭ ଯୋଗୁ ୟୁରୋପରେ ପ୍ରାୟ ୧୫,୭୦୦ ଲୋକଙ୍କ ମୃତ୍ୟୁ ଘଟିଛି।
Powered by Froala Editor