ଓଦା, ଶୁଖିଲା ଏକାଠି କରିଦେବାରୁ ବଢ଼ିଲା କଳି: ରାଗରେ ଗୁଳି ଫୁଟାଇଲେ ବ୍ୟବସାୟୀ
ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏବେ ସବୁ ପୌରାଞ୍ଚଳରେ ବର୍ଜ୍ୟ ବୋହିବା ଗାଡି ବୁଲୁଛି । ଏହାସହ ସଚେତନତା ନାରା ବି ଦିଆଯାଉଛି । ଗାଡିମାନଙ୍କରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ, କେଉଁଥିରେ ଓଦା ଓ କେଉଁଥିରେ ଶୁଖିଲା ବର୍ଜ୍ୟ ପକାଯିବ । ହେଲେ ଜଣେ ବ୍ୟବସାୟୀ ଓଦା, ଶୁଖିଲା ବର୍ଜ୍ୟବସ୍ତୁ ଏକାଠି କରିଦେବାରୁ ସଫେଇ କର୍ମଚାରୀ ଏହାକୁ ବାରଣ କରିଥିଲେ । ଏତିକିରେ ବ୍ୟବସାୟୀ ଜଣକ ତାଙ୍କ ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ । ଏ ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋରରେ।
ଅଭିଯୁକ୍ତଙ୍କ ମହେଶ ପଟେଲ ଜଣେ ପେଟ୍ରୋଲ ପମ୍ପ ମାଲିକ। ଗତ ଶନିବାର ସଫେଇ କର୍ମଚାରୀମାନେ ଗାଡ଼ି ନେଇ ବର୍ଜ୍ୟବସ୍ତୁ ନେବାକୁ ମହେଶଙ୍କ ଘରକୁ ଆସିଥିଲେ। ମହେଶଙ୍କ ପତ୍ନୀ ସେମାନଙ୍କୁ ବର୍ଜ୍ୟବସ୍ତୁ ଦେଇଥିଲେ। ତେବେ ସେ ଓଦା ଓ ଶୁଖିଲା ବର୍ଜ୍ୟବସ୍ତକୁ ଏକାଠି ମିଶାଇ ଆଣିଥିବାରୁ ସଫେଇ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସଫେଇ କର୍ମଚାରୀଙ୍କ ସହିତ ସେମାନଙ୍କର ଜୋରଦାର ପାଟିତୁଣ୍ଡ ହୋଇଥିଲା। ତା’ଭିତରେ ମହେଶ ଘର ଭିତରକୁ ଯାଇ ଏକ ବନ୍ଧୁକ ଧରି ଆସିଥିଲେ। ସେ ତାଙ୍କ ଘର ଫାଟକ ପାଖରୁ ସଫେଇ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ।
କେବଳ ସେତିକି ନୁହେଁ, ଫାଙ୍କା ଗୁଳିଚାଳନା ମଧ୍ୟ କରିଥିଲେ। ମହେଶ ଗୁଳି ଫୁଟାଇବା ପରେ ସଫେଇ କର୍ମଚାରୀମାନେ ଗାଡ଼ି ନେଇ ସେଠାରୁ ପଳାଇଥିଲେ। ତେବେ ସଫେଇ ଗାଡ଼ିର ଡ୍ରାଇଭର ଥାନାରେ ଏତଲା ଦେଇଥିଲେ।
Powered by Froala Editor