କରୋନା: ଦେଶରେ ଦୈନିକ ସଂକ୍ରମଣ ୫ ହଜାର ଟପିଲା
ନୂଆଦିଲ୍ଲୀ: ଦେଶରେ କରୋନାର ଦୈନିକ ସଂକ୍ରମଣ ୫ ହଜାର ଟପିଛି । ଗତ ୨୪ ଘଣ୍ଟାରେ ୫୩୩୫ କରୋନା ପଜିଟିଭ୍ ସାମ୍ନାକୁ ଆସିଛି । ଗତକାଲି ତୁଳନାରେ ସଂକ୍ରମଣ ୨୦ ପ୍ରତିଶତ ବୃଦ୍ଧି ହୋଇଛି । ୨୪ ଘଣ୍ଟାରେ ଆସିଥିବା ସଂକ୍ରମଣ ଗତ ୬ ମାସରେ ସବୁଠୁ ଅଧିକ ।
ସେହିପରି ଦିନକରେ କରୋନାରେ ୬ ଜଣଙ୍କ ଜୀବନ ଯାଇଛି । ଏବେ ଦେଶରେ ସକ୍ରିୟ ମାମଲା ୨୫ ହଜାର ୫୮୭କୁ ବୃଦ୍ଧି ପାଇଛି । ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣା, ତାମିଲନାଡୁ, ହିମାଚଳପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ଅଧିକ ମାମଲା ଦେଖିବାକୁ ମିଳିଛି । ଗତକାଲି ୪ ହଜାର ୪୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ଦେଶରେ ଦୈନିକ କୋଭିଡ୍-୧୯ ‘ପଜିଟିଭିଟି’ ହାର ୩.୩୨% ଥିବା ବେଳେ ସାପ୍ତାହିକ ‘ପଜିଟିଭିଟି’ ହାର ୨.୮୯% ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୧,୮୨,୫୩୮। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୫% ରହିଛି। ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୫୮୭କୁ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୬%।
Powered by Froala Editor