ଜୁନ୍ ପରେ ପୁରୁଣା ସୁନା ବିକ୍ରି ବନ୍ଦ, ଲାଗିବ ୬ ଅଙ୍କ ବିଶିଷ୍ଟ ହଲ୍ମାର୍କ
ଏଣିକି ଜୁନ୍ ମାସ ପରେ ବ୍ୟବସାୟୀମାନେ ପୁରୁଣା ସୁନା ଅଳଙ୍କାର ବିକ୍ରି କରିପାରିବେନାହିଁ। କାରଣ ଜୁନ୍ ପରେ ବ୍ୟବସାୟୀମାନଙ୍କୁ ବିନା ହଲମାର୍କ ସୁନା ଅଳଙ୍କାର ବିକ୍ରି ପାଇଁଁ ଅନୁମତି ମିଳିବନାହିଁ। ସୁନା ଅଳଙ୍କାରରେ ୬ ଅଙ୍କ ବିଶିଷ୍ଟ ହଲମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ (ଏଚ୍ୟୁଆଇଡି) ନମ୍ବର ରହିବ। ଏ ନେଇ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ବିଜ୍ଞପ୍ତି ଅନୁଯାୟୀ, ମନ୍ତ୍ରଣାଳୟ ସୁନା ଅଳଙ୍କାରର ହଲମାର୍କିଂ ଏବଂ ସୁନା ଆର୍ଟଫ୍ୟାକ୍ସ ଅର୍ଡର ୨୦୨୦ରେ ସଂଶୋଧନ କରିଛି। ଏହା ଅଧୀନରେ, ଯେଉଁମାନେ ପୂର୍ବରୁ ପୁରୁଣା ହଲମାର୍କ ହୋଇଥିବା ଅଳଙ୍କାରର ଷ୍ଟକ୍ ଘୋଷଣା କରିଥିଲେ, ସେମାନଙ୍କୁ ବିକ୍ରୟ କରିବା ପାଇଁ ୨୦୨୩ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି।
ମନ୍ତ୍ରଣାଳୟର ଅତିରିକ୍ତ ସଚିବ ନିଧି ଖାରେ କହିଛନ୍ତି ଯେ ଦେଶରେ ୧.୫୬ ଲକ୍ଷ ପଞ୍ଜୀକୃତ ଜୁଏଲେରୀ ବିକ୍ରେତା ରହିଛନ୍ତି। ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ଏପ୍ରିଲ୍ ପହିଲାରୁ ହଲ୍ମାର୍କ ସୁନା ଅଳଙ୍କାର ପାଇଁ ୬ ଅଙ୍କ ବିଶିଷ୍ଟ ଏଚ୍ୟୁଆଇଡି ନମ୍ବର ବାଧ୍ୟତାମୂଳକ କରିଛି। କେନ୍ଦ୍ର ସରକାର ୨୦୨୧ରେ ୬ ଅଙ୍କ ବିଶିଷ୍ଟ ହଲ୍ମାର୍କ ନମ୍ବର ଆଣିଥିଲେ। ସେବେଠାରୁ ବଜାରରେ ପୁରୁଣା ଏବଂ ନୂଆ ହଲ୍ମାର୍କ ଦୁଇଟି ଯାକ ବ୍ୟବସ୍ଥା ପ୍ରଚଳିତ ରହିଛି। ନୂଆ ହଲ୍ମାର୍କିଂ ନିୟମ ପୁରୁଣା ଅପେକ୍ଷା ଅଧିକ ସୁରକ୍ଷିତ ଥିବାରୁ ସରକାର ଏହାର କାର୍ଯ୍ୟକାରିତାକୁ ବାଧ୍ୟତାମୂଳକ କରିଛନ୍ତି। ଏହି ନିୟମ କେବଳ ସୁନା ଅଳଙ୍କାର ନୁହେଁ, ସୁନା ବିସ୍କୁଟ୍ ଏବଂ ସୁନା କଏନ୍ କ୍ଷେତ୍ରରେ ମଧ୍ୟ ଲାଗୁ ହେବ।
Powered by Froala Editor