ରାମ ନବମୀରେ ଅଘଟଣ : କୂଅରେ ଖସି ୧୩ ଶ୍ରଦ୍ଧାଳୁଙ୍କ ପ୍ରାଣ ଗଲା, ବେଣୁଗୋପାଳ ମନ୍ଦିର ଟେଣ୍ଟ ଜଳିଗଲା
ପବିତ୍ର ରାମ ନବମୀରେ ଅନେକ ମନ୍ଦିରରେ ଅଘଟଣ ହୋଇଥିବାର ଖବର ସାମ୍ନାକୁ ଆସୁଛି। ଆନ୍ଧ୍ରପ୍ରଦେଶର ଏକ ମନ୍ଦିରରେ ନିଆଁ ଲାଗିଥିବା ବେଳେ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ମନ୍ଦିର କୂଅର ଛାତ ଭୁଶୁଡି ପଡ଼ିଛି।
ମିଳିଥିବା ସୂଚନା ମୁତାବକ, ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ମନ୍ଦିର କୂଅର ଛାତ ଭୁଶୁଡି ପଡ଼ିଥିଲା। ଫଳରେ ୧୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ଏଠାରେ ପୂଜା ଚାଲିଥିବା ବେଳେ ମନ୍ଦିରର ଭୂତଳ କୂଅର ଛାତ ଭୁଶୁଡି ପଡ଼ିବାରୁ ପ୍ରାୟ ୩୦ଜଣ ତଳକୁ ଖସିପଡ଼ିଥିଲେ। ଏହି ଘଟଣା ସହରର ସ୍ନେହା ନଗର ଅଞ୍ଚଳରେ ଥିବା ଶ୍ରୀ ବାଲେଶ୍ୱର ମନ୍ଦିରରେ ଘଟିଥିଲା। ମନ୍ଦିରରେ କୂଅ ଉପରେ ଛାତ ତିଆରି କରାଯାଇଥିଲା। ରାମ ନବମୀ ପାଇଁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବାରୁ ଏହି ଛାତ ଶ୍ରଦ୍ଧାଳୁଙ୍କ ଭାର ସହିନପାରି ଭୁଶୁଡିପଡ଼ିଥିଲା। ଏହା ଫଳରେ କୂଅର ଛାତ ଉପରେ ଥିବା ଶ୍ରଦ୍ଧାଳୁ ତଳକୁ ଖସି ପଡ଼ିଥିଲେ।
ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ବେଣୁଗୋପାଳ ସ୍ବାମୀ ମନ୍ଦିରରେ ରାମ ନବମୀ ପାଇଁ ଟେଣ୍ଟ କରାଯାଇଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ସେଥିରେ ନିଆଁ ଲାଗି ଯାଇଥିଲା। ପୂଜା ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା। ନିଆଁ ଲାଗିବା ଦେଖି ଶ୍ରଦ୍ଧାଳୁ ମନ୍ଦିର ବାହାରକୁ ଚାଲି ଆସିଥିବା ବେଳେ ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହେବାର ଖବର ମିଳିନାହିଁ।
Powered by Froala Editor