କୋହକୁ ଚାପି ପରୀକ୍ଷା ହଲ୍ରେ ପହଞ୍ଚିଲା ଝିଅ : ସକାଳ ୬ରେ ବାପାଙ୍କ ମୃତ୍ୟୁ, ୯ଟାରେ ପରୀକ୍ଷା
ମଧ୍ୟପ୍ରଦେଶ ଦମୋହ ଜିଲ୍ଲାରେ ଦୁଃଖଦ ଘଟଣା ଘଟିଛି । ପିତାଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିବା ପରେ ମଧ୍ୟ ଛାତ୍ରୀ ଜଣକ ଦ୍ବାଦଶ ପରୀକ୍ଷା ଦେବାକୁ ଯାଇଥିବା ଦେଖିବାକୁ ମିଳିଛି । ବନୱାର ଜିଲ୍ଲାର ଅଧିବାସୀ ଶିଶୁ ବାଲ୍ମିକୀଙ୍କ ଶନିବାର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଥିଲା । ବ୍ୟକ୍ତିଙ୍କ ମୃତ୍ୟୁ ପରେ ଘରେ କାନ୍ଦ ବୋବାଳି ପଡ଼ିଥିଲା । ଘରେ ସମ୍ପର୍କୀୟ ଓ ଗାଁ ଲୋକେ ଭିଡ଼ ଜମାଇଥିଲେ । ହେଲେ ଶିଶୁ ବାଲ୍ଲିକୀଙ୍କ ଝିଅ ରିୟା ବାଲ୍ମିକୀ ନିଜ କୋହକୁ ଚାପି ରଖି ପରୀକ୍ଷା ଦେବା ଲାଗି କଲେଜରେ ପହଞ୍ଚିଥିଲେ ।
ଶନିବାର ରସାୟନ ବିଜ୍ଞାନର ପରୀକ୍ଷା ରହିଥିବା ବେଳେ ତାଙ୍କ ପିତାଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଥିଲା । ସକାଳ ୯ଟାରେ ରିୟାଙ୍କ ପରୀକ୍ଷା ରହିଥିବା ବେଳେ ସକାଳ ୬ଟାରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ଏହି ସମୟରେ ମାନସିକ ଚାପରେ ଥାଇ ମଧ୍ୟ ପରୀକ୍ଷା ଦେବାକୁ ରିୟା ବିଦ୍ୟାଳୟରେ ପହଞ୍ଚିଥିଲେ । ଏହାପରେ ବିଦ୍ୟାଳୟର ପ୍ରିନ୍ସିପାଲ ଓ ଅନ୍ୟ ଶିକ୍ଷକମାନେ ତାଙ୍କୁ ଶାନ୍ତ୍ବନା ଦେଇଥିବା ଦେଖିବାକୁ ମିଳିଥିଲା । ପରୀକ୍ଷା ଦେବା ପରେ ରିୟା ଘରକୁ ଫେରିଥିଲେ । ଏହାପରେ ତାଙ୍କ ପିତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।
Powered by Froala Editor